କାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ମୃତ୍ୟ ମୁଖରୁ ବଞ୍ଚିଲେ ୨ ଶ୍ରମିକ

ଅନୁଗୁଳ: ଦାଦା ଆଖି ଆଗରେ ଚାଲିଗଲା ପୁତୁରା ଜୀବନ । ଦାଦା ତ ଅଳ୍ପକେ ମୃତ୍ୟ ମୁଖରୁ ବଞ୍ଚିଗଲେ କିନ୍ତୁ ପୁତୁରାକୁ ବଞ୍ଚେଇ ପାରିଲେନି । ଦାଦା ପୁତୁରା ଉଭୟ ଶ୍ରମିକ । ସେଦିନ ଏକାଠି ମୂଲ ଲାଗିବାକୁ ଯାଇଥିଲେ । ଗରିବ ଲୋକ ଏମାନେ ଖଟିଲେ ଖାଇବେ । ପେଟକୁ ଦି ମୁଠା ଦାନା ଯୋଗାଇବା ପାଇଁ କାମ କରିବାକୁ ଯାଇଥିଲେ ଶ୍ରମିକ । କିନ୍ତୁ କିଏ ଜାଣିଥିଲା କାମ କରୁ କରୁ ତାଙ୍କ ସହ ଏଭଳି କିଛି ଘଟିଯିବ । ସତରେ ଏ ଜୀବନ କ୍ଷଣସ୍ଥାୟୀ । କେତେବେଳେ ଯେ କାହାର ଜୀବନ ଚାଲିଯିବ କେହି ଜାଣି ନାହାନ୍ତି ।

ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ସ୍ଥାନ । ହଁ ଆଜ୍ଞା ଆମେ ଏମିତି କହିବାର କାରଣ ହେଉଛି କାମ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଦୁଇ ଜଣ ଅଳ୍ପକେ ମୃତ୍ୟ ମୁଖରୁ ବଞ୍ଚିଯାଇଥିବା ବେଳେ ଚାଲିଯାଇଛି ଜଣକ ଜୀବନ । କାନ୍ଥ ଖୋଳୁଥିବା ସମୟରେ ହଠାତ ଭୁଶୁଡି ପଡିଥିଲା କାନ୍ଥ ଆଉ ଚାଲିଯାଇଥିଲା ଶ୍ରମିକଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦାୟୀ ଘଟଣା । କାନ୍ଥ ଖୋଳୁ ଥିବା ବେଳେ କାନ୍ଥ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ତେବେ ମୃତକ ଜଣଙ୍କ ହେଉଛନ୍ତି ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ସ୍ଵର୍ଗତ ଧନେଶ୍ୱର ଚାମ୍ପିଆଙ୍କ ପୁଅ ମହେନ୍ଦ୍ର ଚାମ୍ପିଆ । ବୟସ ମାତ୍ର ୨୨ ବର୍ଷ । ସୂଚନା ଅନୁସାରେ କଂସର ଗାଁରେ ତିନି ଜଣ ଶ୍ରମିକ ମିଶି କାନ୍ଥ ଖୋଳୁଥିଲେ । ସେହି ସମୟରେ ହଠାତ୍ କାନ୍ଥ ଭାଙ୍ଗି ଶ୍ରମିକ ମାନଙ୍କ ଉପରେ ମାଡି ବସିଥିଲା । ଯେଉଁଥିରୁ ୨ ଜଣ ଶ୍ରମିକ ସୁରକ୍ଷିତ ଭାବରେ ବାହାରି ଯାଇଥିଲେ । କିନ୍ତୁ ମହେନ୍ଦ୍ର ବାହାରି ପାରିନଥିଲେ । ଅନେକ ଚେଷ୍ଟା ପରେ ମହେନ୍ଦ୍ରଙ୍କୁ ସେଠାରୁ ଉଦ୍ଧାର କରାଗଲା । ଗୁରୁତର ଅବସ୍ଥାରେ ମହେନ୍ଦ୍ରଙ୍କୁ ଖମାର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

ସେଠାରେ ମହେନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ଘଟଣାସ୍ଥଳରେ । କାମ ହେଉଥିବା ମାଲିକ ବି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବ ବ୍ୟବଚ୍ଛେଦ କରାଯିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅଚାନକ ଏଭଳି ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।

Also Read: ପାକିସ୍ତାନରେ IED ବିସ୍ଫୋରଣ, ୧୧ ଶ୍ରମିକ ମୃତ