କୋରାପୁଟ: ଗରିବ ସିନା କିନ୍ତୁ ମନରେ ଟିକେ ବି ଲୋଭ ନାହିଁ । ଅଟୋ ଚାଲିଲେ ପରିବାର ପ୍ରତିପୋଷଣ ହୁଏ । ପରିଶ୍ରମ କରି ପେଟକୁ ଦି ମୁଠା ଦାନା ଯୋଗାଡ଼ କରନ୍ତି ଅଟୋ ଚାଳକ । କିନ୍ତୁ କେବେ ବି ପର ସମ୍ପତି ପ୍ରତି ମନରେ ଲୋଭ ଆସିନି । ନିଜ ପରିଶ୍ରମରେ ଯାହା ଉପାର୍ଜନ କରନ୍ତି ସେଥିରେ ଚଳନ୍ତି ଗରିବ ଅଟୋ ଡ୍ରାଇଭର ଓ ତାଙ୍କ ପରିବାର । ନାଁ ତାଙ୍କର ହେଉଛି କୃଷ୍ଣ କିରସାନୀ । ଘର କୋରାପୁଟ ସହର ଠାରୁ ୬ କିମି ଦୂର ବାରିଗୁଡା ଗାଁରେ । ବଡ ଦୟାଳୁ ଓ ଧାର୍ମିକ ବ୍ୟକ୍ତି ସେ । ଗରିବ ଅଟୋ ଡ୍ରାଇଭର ଜଣକ ଏମିତି କିଛି କରିଛନ୍ତି ଯାହା ପରେ ତାଙ୍କ ଚର୍ଚ୍ଚା ଚାରିଆଡ଼େ ହେଉଛି । କୃଷ୍ଣ ନିଜ ମହାନତା ଦେଖାଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛନ୍ତି ।
ସେଦିନ ଗାଁ ରୁ ସହରକୁ ଆସିବା ବେଳେ ସହରର ମେଡିକାଲ ରାସ୍ତାରେ ଉପରେ ଏକ ମନିପର୍ସ ପଡିଥିବା ଦେଖିବାକୁ ପାଇଲେ । ତୁରନ୍ତ ତାକୁ ଉଠାଇ ଦେଖିଥିଲେ। ମନିପର୍ସ ଭିତରେ ପୁଳାଏ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଟଙ୍କା ପାଇ ଖୁସି ହେବା ପରିବର୍ତ୍ତେ ଚିନ୍ତାରେ ପଡିଗଲେ । କେଉଁ ଲୋକର ଟଙ୍କା ହୋଇଥିବ, କେଉଁ ଜରୁରୀ କାମରେ ସେ ଆସିଥିବେ । ଏତେ ଟଙ୍କା ହଜାଇ ବଡ ଚିନ୍ତାରେ ଥିବେ ବ୍ୟକ୍ତି । ଏକଥା ଭାବି ଭାବି ଚିନ୍ତାରେ ଥିଲେ କୃଷ୍ଣ । ନିକଟରେ ଯାଉଥିବା ଜଣେ ଶିକ୍ଷୟତ୍ରୀଙ୍କୁ ସବୁ କଥା କହିଲେ ।
ଶିକ୍ଷୟତ୍ରୀ ଜଣକ ମନିପର୍ସରେ ଆଧାରକାର୍ଡ ଓ ଅନ୍ୟ ପ୍ରମାଣପତ୍ର ଥିବା ଦେଖିବାକୁ ପାଇଲେ । ଏହା ପରେ ଗରିବ ଡ୍ରାଇଭର ଜଣକ ଉକ୍ତ ପ୍ରମାଣ ପତ୍ରରୁ ନମ୍ବର ନେଇ ଫୋନରେ ଯୋଗାଯୋଗ କଲେ। ପରେ ମିଳିଥିବା ମନିପର୍ସ ଓ ୯୦୦୦ ଟଙ୍କା ସୁରକ୍ଷିତ ଭାବେ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇଥିଲେ । ହଜିଯାଇଥିବା ଟଙ୍କାତକ ପାଇ ଚିନ୍ତାରେ ଥିବା ବ୍ୟକ୍ତି ଜଣକ ବି ବହୁତ ଖୁସି ହୋଇଥିଲେ ।
ଅଟୋ ଚାଳକ କୃଷ୍ଣ କିରସାନୀ ଜଣେ ଗରିବ ପରିବାରରୁ ହୋଇଥିଲେ ମଧ୍ୟ ଟଙ୍କା ପ୍ରତି କେବେ ଲୋଭ ଆସିନି । ଖଟିଲେ ଖାଇବି ଏହି କଥା ଭାବି ପରିଶ୍ରମ କରନ୍ତି । ତାଙ୍କର ଏ ମହାନତା ଆଗରେ ସମସ୍ତେ ନତ ମସ୍ତକ ହେଉଛନ୍ତି । କୃଷ୍ଣଙ୍କ ଏଭଳି ମହାନତା ଦେଖିବା ପରେ କୋରାପୁଟ ସହରର ବିଭିନ୍ନ ସ୍ଥାନରୁ ପ୍ରଂଶସାର ସୁଅ ଛୁଟୁଛି । ଦିନକୁ ଦିନ ମାନବିକତା ହଜିଯାଉଥିବା ବେଳେ କୃଷ୍ଣଙ୍କ ଏହି ସାହାଯ୍ୟ ସତରେ ପ୍ରଶଂସା ଯୋଗ୍ୟ । ଯଦି ସମସ୍ତେ ଏହି ଚିନ୍ତା ଧାରା ନେଇ ଆଗକୁ ବଢ଼ିବେ ତେବେ ଏ ସମାଜରେ ଅନେକ ଲୋକଙ୍କର ସାହାଯ୍ୟ ହେବ ।