ସରକାରୀ ଯୋଜନା ସାତ ସପନ, ସମସ୍ୟାର ଚକ୍ରବ୍ୟୁହରେ କାଲିମେଳାର ଓ୍ଵାଙ୍ଗୀନଗୁଡା ଗାଁ

ମାଲକାନଗିରି: ଦୂର ପାହାଡରୁ ଝାପସା ଝାପସା ଦିଶେ ଆଦିବାସୀ ଗାଁ ଓ୍ଵାଙ୍ଗୀନଗୁଡା । ପାଖେଇ ଗଲେ ଫର୍ଚାଫର୍ଚା ଲାଗେ ଭୋକର ଦୁନିଆ । ସାମ୍ନାକୁ ଆସେ ଅଭାବ ଅନାଟନର ଚିତ୍ର । ଯେଉଁଠି ଅଣଦେଖା ହୋଇ ରହିଯାଉଛି ଲୋକଙ୍କ ସମସ୍ୟା ତାହା ହେଉଛି ମାଲକାନଗିରିର କାଲିମେଳାର ଓ୍ଵାଙ୍ଗୀନଗୁଡା ଗାଁ ।

ଭରା ନଇ । ଆଣ୍ଠୁଏ ଆଣ୍ଠୁଏ ପାଣି । ଆଉ ପାଣି ଭିତରେ ପାଦେ ପାଦେ ବିପଦ । ଏହା ହେଉଛି ମାଲକାନଗିରିର କାଲିମେଳା ବ୍ଲକର ଅନ୍ଧାରି ମୂଲକ ଓ୍ଵାଙ୍ଗୀନଗୁଡା ଗାଁର ଦୃଶ୍ୟ । ଭବିଷ୍ୟତ ଗଢିବା ପାଇଁ ଏଠି ପିଲାଙ୍କୁ ନିଇତି ଜଳ ସହ କରିବାକୁ ପଡେ ଯୁଦ୍ଧ । ତେବେ କେବଳ ଏତିକିରେ ସରିନାହିଁ ସଂଘର୍ଷ । ନଦୀ ପାର ହୋଇ ୫ କିଲୋମିଟର ଯିବା ପରେ ଲୁଗେଲରେ ରହିଛି ବିଦ୍ୟାଳୟ । ସେହିପରି ବିଜୁଳି କଣ ଏମାନେ ଜାଣନ୍ତିନି । ଡିବିରି ଆଲୁଅରେ ବସି ପାଠ ପଢନ୍ତି । ଏମାନଙ୍କ ପାଇଁ ଏକ ଆସୁନଥିବା ଅତିଥିର ନାଁ ଆଲୁଅ ।

ସେହିପରି ନିତିଦିନିଆ ସାମଗ୍ରୀ ପାଇଁ ଏମାନଙ୍କୁ ପ୍ରାୟ ୫ କିଲୋମିଟର ଯିବାକୁ ପଡିଥାଏ । ପିିଇବା ପାଣି କହିଲେ ଚୁଆ ପାଣି ହିଁ ଏମାନଙ୍କ ଭରସା । ହେଲେ ଏହି ପାଣି ଟିକକ ପାଇଁ ପ୍ରାୟ ଅଧ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ବିଜୁଳି, ପାନୀୟ ଜଳ ଏବଂ ଶିକ୍ଷା ବ୍ୟବସ୍ଥା ଯେମିତି ଏମାନଙ୍କ ପାଇଁ ସାତ ସ୍ୱପ୍ନ । ଓ୍ଵାଙ୍ଗୀନଗୁଡା ଗାଁର ଏହି ଦୁର୍ଭାଗ୍ୟଜନକ ଦୃଶ୍ୟ ଆମ ରାଜ୍ୟର ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।