ୱାର୍ଡସଭ୍ୟ ଉଦ୍ଧାର, ସରଗରମ ହୋଇଛି ବିଂଝାରପୁର ବ୍ଲକ୍ ରାଜନୀତି

ଯାଜପୁର: ୱାର୍ଡ ସଭ୍ୟ ଅପହୃତ ହେବା ଘଟଣା । ଯାହାକୁ ନେଇ ଭୋଟ ସ୍ଥଗିତ ହେଲା। ଏବେ ଉଦ୍ଧାର ହୋଇଛନ୍ତି ସେହି ୱାର୍ଡସଭ୍ୟ ଧନେଶ୍ଵର ସେଠୀ । ସେପଟେ ଜଣେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଗିରଫ ହୋଇଛନ୍ତି ଜଣେ ଅପହରଣକାରୀ ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ରଣପୁର ପଞ୍ଚାୟତର ୩ନଂ ୱାର୍ଡ ସଭ୍ୟ ଧନେଶ୍ଵର ସେଠୀଙ୍କୁ ଅପହରଣ ହୋଇଥିଲେ । ସରପଞ୍ଚ ରିୟଙ୍କା ଯେନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୧ଜଣ ୱାର୍ଡ ସଭ୍ୟ ମଧ୍ୟରୁ ଜଣେ ଥିଲେ ଶ୍ରୀ ସେଠୀ। ଅନାସ୍ଥା ଭୋଟ ପୂର୍ବରୁ ତାଙ୍କୁ ଅପହରଣ ହେବା ନେଇ ହୋଇଥିଲା ବିଞ୍ଝାରପୁର ଥାନାରେ ଅଭିଯୋଗ। ଫଳରେ ଭୋଟ ଗ୍ରହଣକୁ ସ୍ଥଗିତ କଲା ଜିଲା ପ୍ରଶାସନ। ପୋଲିସର ସ୍ବତନ୍ତ୍ର ଟିମ୍ ତନାଘନା ପରେ ଗତ ବୁଧବାର ସନ୍ଧ୍ୟାରେ ଧନେଶ୍ଵର ସେଠୀଙ୍କୁ ଉଦ୍ଧାର କରାଗଲା । ଗତକାଲି ତାଙ୍କୁ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ ହୋଇଛି। ସେ କହିଛନ୍ତି- ସରପଞ୍ଚଙ୍କ ଦୁଇଜଣ ପାଖଲୋକ ତାଙ୍କୁ ଝାଡ଼ଖଣ୍ଡକୁ ନେଇ ରଖିଥିଲେ।”

ସେପଟେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତ ପ୍ରମୋଦ ନାୟକ ଓରଫ ଟିଲୁ ଗିରଫ ହୋଇଛନ୍ତି, ଅନ୍ୟ ଅଭିଯୁକ୍ତ ଅଜୟ ସାହୁ ଏବେ ବି ଫେରାର ଅଛନ୍ତି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । କିନ୍ତୁ ଏପରି ଅପହରଣ ଘଟଣା ନେଇ ଗ୍ରାମବାସୀ ଓ ପରିବାର ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ସେମାନଙ୍କ ଦାବି- “ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ”। ଧନେଶ୍ଵର ସେଠୀଙ୍କ ଉଦ୍ଧାର ପରେ ସ୍ଥିତିରେ କିଛି ଟା ସୁଧାର ଆସିଛି । ମାତ୍ର ଅନାସ୍ଥା ଭୋଟ ପ୍ରସଙ୍ଗରେ ଆଗାମୀ ଦିନରେ ରାଜନୈତିକ ହଲଚଲ ଆଉ ବଢ଼ିପାରେ ବୋଲି ଆଶଙ୍କା।

also read:ଆସନ୍ତାକାଲି ହେବ ମହାନଦୀ ଜଳ ବିବାଦ ଆଲୋଚନା, ଦିଲ୍ଲୀରେ ଭେଟିପାରନ୍ତି ଓଡ଼ିଶା ଏବଂ ଛତିଶଗଡ଼ର ଜଳ ସମ୍ପଦ ସଚିବ