ଗାଁ ରେ ଯାତ୍ରା ଦେଖୁଥିଲେ, ଘରେ କଳାକନା ବୁଲାଇ ଦେଲେ ଚୋର
ଉଦଳା : ଶୀତ ଦିନିଆ ଯାତ୍ରାର ମଜା ଅଲଗା । ରାତି ହେଲେ ଖାଇ ପିଇ ଯାତ୍ରା ଦେଖିବାକୁ ବାହାରି ଯାଆନ୍ତି ଲୋକେ । କିନ୍ତୁ ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ଚୋର । ଘରେ ପଶି କଳାକନା ବୁଲାଇ ଦେଉଛନ୍ତି ।
ହଁ ଆଜ୍ଞା, ଗାଁ ରେ ଚାଲିଥିଲା ଯାତ୍ରା। ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ଏପଟେ ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗାଁରେ । ଗାଁର ମନୋରଞ୍ଜନ ପାତ୍ରଙ୍କ ପରିବାର ସହିତ ଗତକାଲି ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଭୋର ସମୟରେ ଘରକୁ ଫେରିବା ପରେ ଘର ଚାରି ପାଖରେ ବେଢା ଯାଇଥିବା ତାର ଜାଲି କଟା ଯାଇଥିବା ଦେଖିଥିଲେ । ଏହା ସହିତ ଘର ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ଘର ଭିତରକୁ ପଶିବା ପରେ ଗଡ଼ରେଜ ଭଙ୍ଗାଯାଇ ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ ।
ଦୁର୍ବୃତ୍ତମାନେ ଗଡ଼ରେଜର ଚାବି ଭାଙ୍ଗିବା ପରେ ଲକର ଭାଙ୍ଗି ଲୁଟ କରିଛନ୍ତି । ଲକରରେ ଥିବା ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ସହିତ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି । ଗଡ଼ରେଜରୁ ସୁନା ଅଳଙ୍କାର ବାହାର କରି ଖଟ ଉପରେ ରଖି ଅଳଙ୍କାର ଲୁଟି ନେଇ ଖୋଳ ଛାଡି ଯାଇଛନ୍ତି ଦୁର୍ବୃତ୍ତ । ଏ ନେଇ ମନୋରଞ୍ଜନ କପ୍ତିପଦା ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।
ତେବେ ବାରମ୍ବାର ଏଭଳି ଚୋରି ହେଉଥିବା ବେଳେ ସତର୍କ ଅୁଅନ୍ତୁ । ରାତିରେ ଘର ଛାଡ଼ି ବାହାରେ ରୁହନ୍ତୁ ନାହିଁ । ଘର ଛାଡ଼ି ବାହାରକୁ ଯିବା ବେଳେ ଜଣେ କାହାକୁ ଘରେ ଛାଡ଼ିକି ଯାଆନ୍ତୁ । ନଚେତ୍ ଏଭଳି ଦଶା ଭୋଗୁଥିବେ ।