ବର୍ଷା ବିତ୍ପାତ : ଲଘୁଚାପ ଯୋଗୁଁ ଫୁଲିଲା ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ

ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଅଧିକାଂଶ ନଦୀ ଫୁଲିଛି । ୧୨ଟି ଜିଲ୍ଲାରେ ରେକର୍ଡ ହୋଇଛି ୫୦ ମିଲିମିଟରୁ ଅଧିକ ବର୍ଷା । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧୭୩ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ରେ ହୋଇଛି ୨୯୭ ମିଲମିଟର ବର୍ଷା। ହାତୀ ନଦୀରେ ଜଳସ୍ତର ବଢୁଛି । ରାୟଗଡ଼ାର ଗୁଣୁପୁର ଓ କାଶୀପୁରଠାରେ ବଂଶଧାରା ବିପଦ ସଙ୍କେତ ଉପରେ ଥିଲା। ଆଜି କିନ୍ତୁ ଗୋଟା ବ୍ୟାରେଜ ଖୋଲାଯିବା ପରେ ଜଳସ୍ତର କମିଛି । ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳର ଜମିରେ ମାଡ଼ିିଛି ପାଣି । ବିଏନ୍‌ପୁର ପଞ୍ଚାୟତର କିଛି ଗାଁ ପାଣି ଘେରରେ ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର କିନ୍ତୁ କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ। ତଥାପି ବର୍ଷାକୁ ଦେଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଛି।

କାଲି ବର୍ଷା କମିବା ଅନୁମାନ କରାଯାଉଛି। କିନ୍ତୁ ୪୮ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏଥର ଉତ୍ତର ଓଡ଼ିଶା ଉପରେ ରହିବ ବର୍ଷାର ବଳୟ। ଫଳରେ ଆଗକୁ ଉତ୍ତର ଓଡ଼ିଶାରେ ବର୍ଷାା ଯୋଗୁ ନଦୀ ଫୁଲିବା ଆଶଙ୍କା ରହିଛି।

ଦୁଇ ତିନି ଦିନ ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା ହୋଇଥିଲା । କିନ୍ତୁ ଦି ଦିନ ବର୍ଷାରେ ଜୁଲାଇ କୋଟାରେ ସ୍ୱାଭାବିକଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଯାହା ଚାଷ ପାଇଁ ଭଲ । କିନ୍ତୁ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ବିପଦ ସୃଷ୍ଟି କରିଛି।

Leave A Reply

Your email address will not be published.