ଉତ୍କଟ ରୂପ ଧାରଣ କରିଛି ଜଳ ସମସ୍ୟା, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ବଢୁଛି ଖରା, ଉତ୍କଟ ରୂପ ନେଉଛି ଜଳ ସମସ୍ୟା । ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ପାଣି ବାହାରୁଛି । ପାଣି ବୁନ୍ଦାଏ ପାଇଁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ । ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଥିବା ବେଳେ ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତର ହିଆଁଲ ନୂଆପଡା ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ହଇରାଣ ହରକତ ହେଉଛନ୍ତି ।
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତର ହିଆଁଲ ଗାଁ । ଗାଁରେ ଏବେ ପାଣି ସମସ୍ୟା ଦେଖିବାକୁ ମିଲୁଛି । ସକାଳ ହେଲେ ଗାଁ ଲୋକଙ୍କ ମନରେ ଗୋଟିଏ ଚିନ୍ତା ପିଇବା ପାଣି କେଉଁଠି ମିଳିବ । ଗାଁରେ ଏବେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ହିଆଁଲ ଗାଁରେ ଦୀର୍ଘ ଦିନରୁ ପାଣି ସମସ୍ୟା ଲାଗି ରହିଛି । ଗାଁରେ ଥିବା ୫ ଟି ନଳକୂପ ଥିବାବେଳେ ୪ ଟି ଖରାପ ହୋଇ ପଡିଛି । ତେଣୁ ବାଧ୍ୟ ହୋଇ ଗାଁର ଏକମାତ୍ର ନଳକୂପ ଉପରେ ଲୋକେ ନିର୍ଭର କରନ୍ତି । ଗାଁରେ ଏକ ଓଭରହେଡ ଟାଙ୍କି ମଧ୍ୟ ଅଛି ହେଲେ ଗାଁକୁ ପାଣି ଯୋଗାଣ ହେଇପାରୁନି । ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗି ଅଚଳ ହୋଇ ପଡିରହିଛି । ଅତିଶୀଘ୍ର ପାନୀୟ ଜଳ ସମସ୍ୟା ଦୂର କରିବା ସହ ଗାଁରେ ଓଭରହେଡ ଟାଙ୍କିରୁ କିପରି ଜଳ ଯୋଗାଣ ହେବ ଓ ଲୋକେ ପାଣି ପାଇବେ ସେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କଣ୍ଟାବାଞ୍ଜି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏସଡିଓ ।
ଘରେ ଘରେ ଟ୍ୟାପ ଲାଗିଛି ହେଲେ ଜଳ ଯୋଗାଣ ହେଉନାହିଁ । ବାରମ୍ବାର ପ୍ରଶାସନ ତଥା ଗାଁର ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
Also Read :ଖରା ଆରମ୍ଭ ନହେଉଣୁ ଦେଖାଗଲାଣି ପାଣି ସମସ୍ୟା, ଗ୍ରାମବାସୀଙ୍କ ଦୁଃଖ ବୁଝୁନି ପ୍ରଶାସନ