ଆପଣ ଶୁଣିଥିବେ ଖରା ଦିନରେ ନଦୀନାଳ, ଗାଡିଆ ପୋଖରୀ ସବୁ ଶୁଖିଯାଏ, ଜଳସ୍ତର ହ୍ରାସ ପାଉଥିବାରୁ ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ଦେଖାଦେଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ଷା ଦିନରେ ବି ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ପାଣି ପାଇଁ ଟ୍ୟାପ ଗୁଡିକରେ ମହିଳାଙ୍କ ଲମ୍ବା ଲାଇନ ଲାଗିବାର ଦୃଶ୍ୟ ବି ଦେଖିଥିବେ ହେଲେ ଦେଖିନଥିବେ ଖୋଲା କୂଅ ପାଣି ପାଇଁ ବି ମହିଳାଙ୍କର ଲାଗେ ଲମ୍ବା ଲାଇନ । ଏମିତି ଏକ ଗାଁ ହେଉଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତର ଯାଜପୁର ଗାଁ ।
ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ଗୋଟେ କିଲୋମିଟର ଦୂରରେ ରହିଛି ଏହି ଗାଁ । ଗାଁରେ ୪୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ରହିଛି ମାତ୍ର ୩ଟି ନଳକୂଅ । ସେଥିରୁ ଦୁଇଟି ନଳକୂଅ ପାଣି ପିଇବା ଉପଯୋଗୀ ନୁହେଁ । ଅନ୍ୟଟିରୁ ଘଣ୍ଟାଏ ମାରିଲେ ବାହାରୁଛି ବାଲଟିଏ ପାଣି । ଫଳରେ ଗାଁ ମୁଣ୍ଡରେ ଥିବା ଏକ ଖୋଲା କୂଅରୁ ବିପଦ ସଂକୁଳ ଅବସ୍ଥାରେ ତେଣ୍ଡା ସହାୟତାରେ ୩୦ ଫୁଟ ଗଭୀରରୁ ପାଣି କାଢୁଛନ୍ତି ମହିଳାମାନେ ।
କୂଅ ପାଣିକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ସକାଳ ଯେ ସଞ୍ଜ ଯାଏଁ ପାଣି ଗରାଏ ପାଇଁ କୂଅରେ ଲାଗୁଛି ଲମ୍ବା ଲାଇନ । ପରିସ୍ଥିତି ଏପରି ହୋଇଯାଇଛି ଯେ ପାଣି ପାଇଁ ନିଜ ନିଜ ଭିତରେ କଳି ଝଗଡା ଭଳି ପରିସ୍ଥିତ ମଧ୍ୟ ସୃଷ୍ଟି ହେଉଛି । ବର୍ଷା ଦିନରେ କୂଅ ଭିତରେ ଆଖପାଖ ନାଳ ନର୍ଦ୍ଦମାର ଦୂଷିତ ପାଣି ପଶି ଏହା ଆଉ ପାନୀୟଯୋଗ୍ୟ ହୋଇ ରହେନାହିଁ । ଆଉ ସେହି ଦୂଷିତ ପାଣି ପିଇ ନାନାଦି ରୋଗ ଯେପରିକି ମ୍ୟାଲେରିଆ, ଡାଇରିଆ ଏବଂ ବିଭିନ୍ନ ଚର୍ମ ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ ।
ତେଣୁ ତୁରନ୍ତ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମର ମହିଳାମାନେ । ଗାଁରେ ବର୍ଷା ଆସିଲେ କୂଅରୁ ଦୂଷିତ ପାଣି ବାହାରେ ତେଣୁ ପିଇବା ପାଣି ପାଇଁ ଚିନ୍ତା ବଢିଯାଏ । ତେବେ ଏହି ପାଣି ସମସ୍ୟା ଆଜି କି କାଲିର ନୁହେଁ ଦୀର୍ଘ ବର୍ଷ ହେବ ଯାଜପୁର ଗାଁରେ ରହିଆସିଛି ପାନୀୟ ଜଳ ସମସ୍ୟା । ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ବାରମ୍ବାର ନେତାମନ୍ତ୍ରୀ ଓ ପ୍ରଶାସନ ନିକଟରେ ଗୁହାରୀ କରିଆସୁଥିଲେ ବି କୌଣସି ସୁଫଳ ମିଳୁନାହିଁ । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ତୁରନ୍ତ ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।