ପାନୀୟ ଜଳ ପ୍ରକଳ୍ପ : ୨୦୧୮ ଡିସେମ୍ବର ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ୍ ଆଜି ସଚିବାଳୟରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ କାର୍ୟ୍ୟକ୍ରମ ସମୀକ୍ଷା କରି ୨୦୧୮ ଡିସେମ୍ବର ସୁଦ୍ଧା ପାନୀୟ ଜଳ ଯୋଗାଣର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛିନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ଭିତିଭୂମି ନିର୍ମାଣ ପାଇଁ ବର୍ଷକୁ ଅତି କମରେ ୩ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ।
ବୈଠକର ସୂଚନା ଅନୁଯାଇ ସହରାଞ୍ଚଳରେ ସମସ୍ତଙ୍କୁ ପାଇପ୍ ପାଣି ଯୋଗାଣର ଲକ୍ଷ୍ୟ ଡିସେମ୍ବର ୨୦୧୮ ସୁନ୍ଧା ସଂପୂର୍ଣ୍ଣ ହେବ । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣର ଦୈନିକ ଆବଶ୍ୟକତା ୧୦୮୫ ମିଲିୟମ୍ ଲିଟରର ଲକ୍ଷ୍ୟ ମଧ୍ୟ ୨୦୧୮-୧୯ରେ ପୂରଣ ହେବ । ଏହା ନିର୍ଦ୍ଧାରିତ ସମୟର ୪ ବର୍ଷ ପୂର୍ବରୁ ହିଁ ପୂରଣ କରାଯାଇଛି ।
ସେହିପରି ୨୦୧୮-୧୯ ସୁଦ୍ଧା ୧୧,୩୨୫ କିଲୋମିଟର Distribution Networkର ଲକ୍ଷ୍ୟ ପୂରଣ ହେବ । ଗତ ବର୍ଷ ଏହା ୭୩୯୧ କିଲୋମିଟର ଥିଲା । ସହରାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ୍ ପାଣି ଯୋଗାଣ ଲକ୍ଷ୍ୟ ରାଜ୍ୟ ସରକାରଙ୍କର ପ୍ରାଥମିକତା । ତେଣୁ ଏହାକୁ ଖୁବ୍ ଶିଘ୍ର ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବସୁଧା ଏବଂ ଅନ୍ୟାନ୍ୟ ବୃହତ ପାନୀୟ ଜଳ ଯୋଗାଣ କାର୍ୟ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା ।
ଅତି କମରେ ଦୁଇଟି ଗାଁକୁ ପାଇପ୍ ପାଣି ପ୍ରକଳ୍ପର ସୁବିଧା ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୬୯୦ଟି ପଞ୍ଚାୟତର ଦୁଇଟି ଗାଁକୁ ପାନୀୟ ଜଳର ସୁବିଧା କରାଯାଇପରିଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇବା ପାଇଁ ବର୍ଷକୁ ଅତି କମରେ ୩୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୦୧୭-୧୮ ଓ ୨୦୧୮-୧୯ ପାଇଁ ନିର୍ଦ୍ଧାରିତ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।