ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବ୍ୟବସ୍ଥା, ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ

କଟକ : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା । ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ। ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ ।

କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି । ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ ରେ ହେବାକୁ ଥିବା ଓଷ୍ଟେଟ ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଏହି ୱାଟର ମାର୍କରେ ରହିବା ନେଇ ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ଜଣାପଡିବ।  ଏହି ୱାଟର ମାର୍କ ବ୍ୟବସ୍ଥା ଦ୍ୱାରା ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରତିହତ ହୋଇ ପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ  କହିଛନ୍ତି ।

 

You might also like