ୱାୟନାଡ଼ ଭୂସ୍ଖଳନ: ଏବେବି ନିଖୋଜ ଅଛନ୍ତି ଡାକ୍ତର ସ୍ବାଧୀନ ପଣ୍ଡା

କେରଳର ୱାୟନାଡ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୨୭୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୦ରୁ ଅଧିକ ଲୋକ ଉଦ୍ଧାର ପରେ ଚିକିତ୍ସିତ ହେଉଛନ୍ତି । ଏବେ ବି ୨୨୫ ରୁ ଅଧିକ ନିଖୋଜ ଅଛନ୍ତି ।

ଏପେଟ ୱାଏନାଡ ଭୂସ୍ଖଳନରେ ଜଣେ ଓଡ଼ିଆ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ଏବେବି ନିଖୋଜ ଅଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ୨ ଜଣ ଅଧିକାରୀ ୱାଏନାଡ ଯାଇଥିବା ବେଳେ ଆଜି ସେଠାରେ ମୃତଦେହ ଚିହ୍ନଟ କରାଯିବ। ଦୁଇ ଜଣ ଅଧିକାରୀ କେରଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ମୃତକଙ୍କ ପରିବାର ଲୋକେ ମଧ୍ୟ ୱାଏନାଡ ଅଭିମୁଖେ ଗସ୍ତ କରିଛନ୍ତି ।

ସେପଟେ ମୃତ ଡାକ୍ତରଙ୍କ ପତ୍ନୀ ଓ ନିଖୋଜ ଡାକ୍ତରଙ୍କ ବାନ୍ଧବୀ ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏବେ ଚିକିତ୍ସାଧୀନ ଅଛନ୍ତି। ସ୍ବୀକୃତି ମହାପାତ୍ରଙ୍କର ଘର ଝାରସୁଗୁଡ଼ାରେ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କେରଳର ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ସେହିପରି କଟକ SCBରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ ଭୂସ୍ଖଳନ ପରଠାରୁ କୌଣସି ଖୋଜ୍ ଖବର ମିଳିନି। ଫଳରେ ଭୟଆଉ ଆତଙ୍କ ଭିତରେ ଦିନ କାଟୁଛନ୍ତି, ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟ।

You might also like