ଉପକୂଳରୁ ଉପାନ୍ତ, ସାରା ରାଜ୍ୟରେ ଶୀତ ଲହରୀ: ଘନ କୁହୁଡ଼ି ପାଇଁ ଏହି ସବୁ ଜିଲ୍ଲାକୁ ଆଲର୍ଟ
![cold](https://knewsodisha.com/wp-content/uploads/2022/11/cold-2.png)
ଭୁବନେଶ୍ୱର : ଶୀତରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ । ହଠାତ ପାରଦ ଖସିଛି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ଅନେକ ସହର । ୨୦ ରୁ ଅଧିକ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ । ଆହୁରି ତଳକୁ ଖସିବ ପାରଦ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣି ପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷକରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ,ସୁନ୍ଦରଗଡ ,ସମ୍ବଲପୁର ଝାରସୁଗୁଡା ଓ ଗଞାମରେ ଅଧିକ ଘନ କୁହୁଡି଼ ନେଇ ସତର୍କତା ଜାରି ହୋଇଛି। ବିଶେଷକରି ଓଡି଼ଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ପ୍ରବଳ ଥଣ୍ତା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ଯାହାର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ । ଥଣ୍ତାର ପ୍ରକୋପ ଏତେ ଅଧିକ ରହୁଛି ଯେ, ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି ।
ସେପଟେ ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ପାରଦ ୧୦ଡିଗ୍ରୀ ତଳେ ରହିଛି । କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ସାତକୋଶିଆ, ଟିକରପଡ଼ା ଓ ନଗିରା ଆଦି ଅଞ୍ଚଳରେ ପାରଦ ୬ରୁ ୭ ଡିଗ୍ରୀ ରେକର୍ଡ କରାଯାଇଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁ ପୁଇଁ ହେଉଥିବା ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।