ବାଇ ଚଢେଇର କିଚିରି ମିଚିରି ସ୍ୱରରେ କମ୍ପୁଛି ମହାକାଳପଡ଼ା ଅଞ୍ଚଳ, ଏହି ବିଲୁପ୍ତ ପ୍ରାୟ ପକ୍ଷୀକୁ ସୁରକ୍ଷା ଦେବାକୁ ଦାବି

ମହାକାଳପଡା(କେନ୍ୟୁଜ୍): ଜଗତର ଏକ ସୁନ୍ଦର ପକ୍ଷୀ ବାଇ ଚଢେଇ। ପ୍ରାଣୀ ଜଗତର ଏଇ ସୁନ୍ଦରତମ ସୃଷ୍ଟିରେ ବାଇ ଚଢେଇକୁ ନେଇ ଲେଖା ଯାଇଛି ଅନେକ କଥା ଓ କାହାଣୀ । ଝଡ଼ ବର୍ଷା ଆଉ ପବନର ତାଳେ ତାଳେ ଏମାନଙ୍କ କିଚିରି ମିଚିରି ସ୍ୱର ଆନନ୍ଦିତ କରିଥାଏ ସାରା ପରିବେଶକୁ । ତେବେ ବର୍ତ୍ତମାନ ବିଲୁପ୍ତ ପ୍ରାୟ ଏହି ବାଇ ଚଢେଇ। ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଆଜିବି ଶୁଣିବାକୁ ମିଳେ ଏମାନଙ୍କ ସ୍ୱର।

ଉପକୂଳବର୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀନାଳ ଘେରା ମହାକାଳପଡ଼ା ଅଞ୍ଚଳ। ଲୁଣା ,ଗୋବରୀ ଓ ମହାନଦୀର କୂଳର ନିଛାଟିଆ ସ୍ଥାନରେ ଥିବା ଚାଖୁଣ୍ଡା , ଆକାଶି ଓ ତାଳ ଗଛରେ ବାଇ ଚଢେଇ ବସା ବାନ୍ଧି ରହିଥିବା ଦେଖିବାକୁ ମିଳୁଛି । ଯାହାର ସୁରକ୍ଷା ପାଇଁ ଏବେ ଗାଁ ଲୋକେ ବେଶ୍ ଚିନ୍ତିତ। କାହିଁକି ନା ଅସନ୍ତୁଳିତ ପରିବେଶ ଓ ଜଳବାୟୁ ପରିବର୍ତନ ବାଧ୍ଯ କରିଛି ବାଇ ଚଢେଇକୁ ଗାଁ ଠାରୁ ଦୁରେଇ ଯିବାକୁ । ଦିନ ଥିଲା ଗାଁ ଗହଳିର ପିଲାମାନେ ଅଝଟ ହେଲେ ନାନା ବାଇ ଚଢେଇ ଗୀତ ବୋଲି ଶୁଆଇ ଦେଉଥିଲା ମାଆ । ଏବେ କିନ୍ତୁ ଆଗ ଭଳି ବାଇ ଚଢେଇଙ୍କୁ ଦେଖିବାକୁ ମିଳୁନି। କହିବାକୁ ଗଲେ ବିଲୁପ୍ତ ପ୍ରାୟ ଏହି ବାଇ ଚଢେଇ ।

ଜନ ଗହଳି ଠାରୁ ଦୂରେଇ ନିଛାଟିଆ ସ୍ଥାନ ମାନଙ୍କରେ ଉଚ୍ଚ ଗଛ ଗୁଡ଼ିକରେ ଏମାନେ ବସାବାନ୍ଧିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଖାତିରି ନଥାଏ ଝଡ଼ ବର୍ଷାକୁ । ପବନର ତାଳେ ତାଳେ ଝୁଲି ଝୁଲି କିଚିରି ମିଚିରି ସ୍ୱରରେ ସୃଷ୍ଟି କରେ ସଙ୍ଗୀତର ଏକ ମୁର୍ଚ୍ଛନା । ଯାହାକି କବି ତାର ମନର କଥାକୁ ବାଖ୍ଯା କରିଥାଏ ।ବାଇ ଚଢେଇର ଜୀବନଶୈଳୀ ବଂଚିବାର ବାଟ ଦେଖାଏ । କ୍ଷୁଦ୍ର ପକ୍ଷିଟି ହେଲେ ବି ତାର ଜ୍ଞାନ କୈାଶଳ ଏବଂ ବସାବାନ୍ଧିବାର କାରିଗରୀ ମଣିଷକୁ ଭାବିବାକୁ ବାଧ୍ଯ କରେ ।

ପ୍ରାକୃତିକ ବିପର୍ଯ୍ଯୟ ସହ ଚାଷ ଜମିରେ ବ୍ଯାପକ ପରିମାଣର କୀଟନାଶକ ପ୍ରୟୋଗ ଏବଂ କଳକାରଖାନାର ବିଷାକ୍ତ ଗ୍ଯାସ ହେଉଛି ଏମାନଙ୍କ ବଂଶ ବିସ୍ତାର ରେ ବାଧକ । ବେଳ ଥାଉ ଥାଉ ଏମାନଙ୍କ ସୁରକ୍ଷା ଓ ସଚେତନା କରାନଗଲେ ଭବିଷ୍ଯତ ପିଢୀ ପାଇଁ ବାଇ ଚଢେଇ କେବଳ ଚିତ୍ରରେ ସାର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.