ଛାଡ଼ାବାନ୍ତି ପାଇଁ ବରଯାତ୍ରୀ ଭୋଜି ବନ୍ଦ, କାନ୍ଦୁଛି ପରିବାର

କନ୍ୟା ସହିତ ବରର ବିବାହ ଉତ୍ସବ ଆୟୋଜନ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ସରିଥିଲା । ବରଯାତ୍ରୀଙ୍କ ପାଇଁ ଭାତ ଡାଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଆଇଟମକୁ ନେଇ ରୋଷେଇ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ରୋଷେଇ ଆରମ୍ଭ ହେବାର ଏକ ଘଣ୍ଟା ପରେ ହଠାତ ପ୍ରଶାସନ ବନ୍ଦ କରିଦେଲା ରୋଷେଇ । ଯାହାକୁ ନେଇ ପରିବାର ଲୋକମାନଙ୍କ ମନରେ ଦୁଃଖ ଦେଖାଦେଇଛି । ଭୋଜି କରିବା ପୂର୍ବରୁ ଜଣାଇବା କଥା ତେବେ ଭୋଜି ଆରମ୍ଭ ହେବା ପରେ ଜଣାଇବାରୁ ସଉଦା ପତ୍ର ଏବଂ ରନ୍ଧା ଖାଦ୍ୟ ନଷ୍ଟ କରିବାକୁ ପଡ଼ିଲା । ଗରିବ ଲୋକ ହୋଇଥିବାରୁ ପାଖରେ ଅର୍ଥର ଅଭାବ । ଝିଅ ବାହାଘର ପାଇଁ କେତେ କଷ୍ଟରେ ଟଙ୍କା ଯୋଗାଡ଼ କରିଥିଲେ । କିନ୍ତୁ କ୍ଷଣିକରେ ସବୁ ଯେମିତି ଓଲଟ ପାଲଟ ହୋଇଗଲା । ଝିଅ ବାହାଘର ଭଲରେ କରିବେ ବୋଲି କେତେ ସ୍ବପ୍ନ ଦେଖିଥିଲେ ଜୟନ୍ତି ବେହେରା । କିନ୍ତୁ ପ୍ରଶାସନର କଡ଼ା ତାଗିଦରେ ଝିଅ ବାହାଘରରେ ଗାଁ ଭାଇଙ୍କୁ ଭୋଜି ଦେଇ ପାରିଲେନି ।
ପୁରୀ ଜିଲ୍ଲା କଣାସରେ ହଇଜାକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ଦୋକନ୍ଦା ଗାଁରେ ଏକ ବିବାହ ଉତ୍ସବ ଆୟୋଜନ କରାଯାଇଥିବାବେଳେ ବରଯାତ୍ରୀମାନଙ୍କ ପାଇଁ କରାଯାଉଥିବା ଭୋଜିକୁ ବନ୍ଦ କରାଯାଇଛି । ଯାହାକୁ ନେଇ ଗରିବ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।
କଣାସରେ ଦିନକୁ ଦିନ ହଇଜା ମହାମାରୀ ଆଡ଼କୁ ଗତି କରୁଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖାଇବା ପିଇବା ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବାରଣ କରାଯାଇଛି । ଯେଉଁଠି ବି ଖାଇବା ଅଥବା ପାନୀୟ ଜଳ ପିଉଛନ୍ତି ତାହାକୁ ବିଶୋଧନ କରି ବ୍ୟବହାର କରିବାକୁ ପଡ଼ୁଛି । ବିବାହ ଉତ୍ସବ ହେଉ କି ଅନ୍ୟ କୈାଣସି ଭୋଜି ଭାତ ସବୁକିଛି ବନ୍ଦ କରିବା ପାଇଁ ପ୍ରଶାସନର କଡ଼ା ତାଗିଦ୍ ରହିଛି । ଯେଉଁମାନେ ଭୋଜି କରିବେ ସେମାନଙ୍କ ଉପରେ ପଦକ୍ଷେପ ନେବା ପାଇଁ ବ୍ଲକ ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।
ହଇଜା ଯେପରି ଗାଁକୁ ଗାଁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯାଉଛି । ତେବେ ପ୍ରଶାସନ କଥା ମାନି କନ୍ୟା ଘର ପକ୍ଷରୁ ଭୋଜିକୁ ବନ୍ଦ କରାଯାଇଥିଲା । କିନ୍ତୁ ଏତେ ଟଙ୍କାର ଜିନିଷ ନଷ୍ଟ ହୋଇଥିବାରୁ ଦୁଃଖରେ ଅଛନ୍ତି ଗରିବ ପରିବାର ।