ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି, ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କଲେ ବିଶ୍ୱବାସୀ

ଭୁବନେଶ୍ୱର : ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ସଭିଏଁ । ନୂତନ ବର୍ଷ ପାଇଁ ଚାରିଆଡ଼ ଚଳଚଞ୍ଚଳ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ନୂଆ ଉତ୍ସାହ, ଉଦ୍ଦୀପନା ଓ ନୂଆ ଆଶା ନେଇ ଆସିଛି ବର୍ଷ ୨୦୨୫ । ଦେବଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଲାଗିଛି ଭିଡ଼ । ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ମଙ୍ଗଳ କାମନା କରି ଆଶୀର୍ବାଦ ନେଇଛନ୍ତି ଲୋକମାନେ । ଚାରିଆଡ଼େ ଏବେ ନୂଆବର୍ଷର ଧୁମ । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର । ନାନା କାର୍ଯ୍ୟକ୍ରମ ବି ଆୟୋଜିତ ହେଉଛି ।

ସେହିପରି ଗତକାଲି ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ, ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।