ଆଳୁ ଜଗିବ ସିସିଟିଭି, ଆକ୍ସନ ମୋଡରେ ପଶ୍ଚିମବଙ୍ଗ ପ୍ରଶାସନ

ଜଳେଶ୍ୱର : ଆଳୁ ଜଗିବାକୁ ଲାଗିଲା ସିସିଟିଭି । ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଆଳୁ ଗାଡ଼ିକୁ ଜଗିବାକୁ ଓଡିଶା ସୀମାନ୍ତରେ ସିସିଟିଭି ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନରେ ଥିବା ବିଭିନ୍ନ ଗ୍ରାମର ସୀମାନ୍ତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ସରକାର ଆଳୁ ଯୋଗାଣ କଟକଣା କଡାକଡ଼ି କରିବା ସହ ସୀମାରେ ସିସିଟିଭି ଲଗାଯାଇଛି । ଏହା ସହ ଆଳୁ ବୋଝେଇ ଟ୍ରକ ଜଗିବାକୁ ପୋଲିସ ମଧ୍ୟ ମୁତୟନ କରାଯାଇଛି।  ଓଡିଶା ସୀମା ଭିତରକୁ ଗୋଟିଏ ବି ଆଳୁ ବୋଝଇ ଟ୍ରକ ପ୍ରବେଶ ନ କରିବା ପାଇଁ ପଶ୍ଚିମବଙ୍ଗ ପୋଲିସ ନିର୍ଦେଶ ଦେଇଛି ।

ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଓଡ଼ିଶାରେ ଦର ଅଧିକ ରହିଛି । ଜାତୀୟ ରାଜପଥ ଦେଇ ଆଳୁ ଗାଡି ବନ୍ଦ ପରେ ଓଡିଶା- ପଶ୍ଚିମବଙ୍ଗ ସୀମାନ୍ତ ଦେଇ କିଛି ଆଳୁ ଗାଡି ଓଡିଶାକୁ ପ୍ରବେଶ କରୁଥିଲା । ମାତ୍ର ସିସିଟିଭି ଲାଗୀବା ପରେ ଓଡିଶାକୁ ଆଳୁ ଗାଡ଼ି ପ୍ରବେଶ ବନ୍ଦ ହୋଇଛି । ଅନ୍ୟପଟେମାସେ ହେଲାଣି ହନ୍ତସନ୍ତ ହେଉଛନ୍ତି ଖାଉଟି । ଖାଲି ହୋଇଗଲାଣି ଆଳୁ ଗଦି । ହାତ ଗଣତି କେଇଟା ଦୋକାନରେ ଉପଲବ୍ଧ ହେଉଛି । ତାହା ପୁଣି ସ୍ବଳ୍ପ ପରିମାଣର । ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ବାଭାବିକ ହୋଇ ପାରୁ ନାହିଁ ।

ଉତ୍ତର ପ୍ରଦେଶରୁ ମଧ୍ୟ ଯଥେଷ୍ଟ ଆଳୁ ଯୋଗାଣ ସମ୍ଭବ ହେଉନି । ଫଳରେ ଆଳୁ ସଂକଟ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଖୁଚୁରା ବଜାରରେ ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସେପଟେ ଆଳୁ କଳାବଜାରୀ ରୋକିବାକୁ ଏକ ଚଢ଼ାଉ କରିଛି ଯୋଗାଣ ବିଭାଗ । ମନ୍ତ୍ରୀ କହିଛନ୍ତି ଓଡିଶାରେ ଆଉ ନାହିଁ ଆଳୁ ସଙ୍କଟ ।  ନାଫେଡ଼ ଜରିଆରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ଦିନକୁ ୫ ହଜାର ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ଯାହା ଆସୁଛି ସମୁଦ୍ରକୁ ଶଂଖେ ଭଳି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.