ଦୂର ହେବ ଆଳୁ ସଙ୍କଟ, କମିବ ଦର ! ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗର ଆଳୁ ଗାଡ଼ି

ଜଳେଶ୍ୱର : ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗର ଆଳୁ । ସୀମାନ୍ତରେ ଥିବା ଆଳୁ ଟ୍ରକ ଗୁଡ଼ିକ ଓଡ଼ିଶାରେ ପ୍ରବେଶ କରିଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଳୁ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିଛି । ପଶ୍ଚିମବଙ୍ଗ ସୀମାନ୍ତରେ ନାକା ପଏଣ୍ଟର ବ୍ଯାରିକେଡ୍ କୁ ହଟାଇ ଦିଆଯାଇଛି । ଫଳରେ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡ଼ିଶାକୁ ବହୁ ସଂଖ୍ଯାରେ ଆଳୁ ଟ୍ରକ ପ୍ରବେଶ କରିଛି। ଗତ ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଳୁ ବ୍ୟବସାୟୀଙ୍କ ବୈଠକ ହୋଇଥିଲା । ଆଳୁ ପାଇଁ ଚାଲିଥିବା ଧର୍ମଘଟକୁ ପ୍ରତ୍ୟାହାର କରିଛନ୍ତି ପଶ୍ଚିମବଙ୍ଗର ଅଳୁ ବ୍ୟବସାୟୀ । ଓଡ଼ିଶରେ ଆଳୁ ଟ୍ରକ ପହଞ୍ଚିବା ପରେ ଆଳୁ ଦର ହ୍ରାସ ପାଇବା ନେଇ ଆଶା କରାଯାଉଛି ।
କିଛି ଦିନ ଧରି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି । ଏଯାଏ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ପୁରା ସ୍ବାଭାବିକ ହୋଇନି । ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।