ବୈଷୟିକ ସର୍ଭେରୁ ମିଳିବ କି ସୁଡ଼ଙ୍ଗ ସନ୍ଧାନ? ଦିନ ଗୋଟାଏରୁ ସଂଧ୍ୟା ୬ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେରୁ ମିଳିବ କି ସୁଡ଼ଙ୍ଗ ସନ୍ଧାନ ?  ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ବୈଷୟିକ ସର୍ଭେ ।  ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ହେବ ।  ତେଣୁ ଏହି ତିନି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନଉପୁଜେ ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।  ଦିନ ଗୋଟାଏରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।  ପୂର୍ବରୁ ସେପ୍ଟେମ୍ବର ୧୮ରେ ଏଏସଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିଥିଲା ।  ସର୍ଭେ ପରେ ଏଏସଆଇ ବୈଷୟିକ ଟିମ ମୁଖ୍ୟ ଏବଂ ସିଏସଆଇଆର-ଏନଜିଆରଆଇର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତ ରଖିଥିଲେ।

ରାଡାର ପେନିଟ୍ରେଟିଂ ସିଷ୍ଟମରେ ସର୍ଭେ ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ସେପଟେ ଆସନ୍ତା ୨୪ତାରିଖରୁ ଦଶହରାର ଷୋଳ ପୂଜା ନୀତିକାନ୍ତି ଆରମ୍ଭ ହେଉଥିବାରୁ ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ବାରୋପ କରିଛନ୍ତି ।  ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କିଛି ଗୁପ୍ତ ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି ନାହିଁ ତାହା ସମ୍ପୂର୍ଣ ଯାଞ୍ଚ ପରେ ହିଁ ଜଣାପଡିବ ।  ସମ୍ପୂର୍ଣ୍ଣ ଯାଞ୍ଚ ପରେ ଆବଶ୍ୟକୀୟ ମରାମତି କରିବା ଲାଗି ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like