ଭୁବନେଶ୍ବର : ଛତିଶଗଡ଼ରେ ରମଣ ସିଂହଙ୍କୁ ଝଟ୍କା। ୧୫ ବର୍ଷ ପରେ କ୍ଷମତାରୁ ହଟିଲା ବିଜେପି । ପଡୋଶୀ ଛତିଶଗଡ଼ରୁ ବିଜେପି ହଟିବା ସହ ଓଡ଼ିଶା ଉପରେ ତାର ରାଜନୈତିକ ପ୍ରଭାବ ପଡିପାରେ। ତିନି-ଚାରି ବର୍ଷ ହେବ ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଅବସ୍ଥାରେ ଓଡ଼ିଶା-ଛତିଶଗଡ଼। ରାଜ୍ୟରେ ଶାସକ ବିଜେଡି ଉଭୟ ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରୁଥିଲା। ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ଅଭିଯେଗ ହେଉଥିଲା । ଛତିଶଗଡ଼ ଏକ ତରଫା ଭାବେ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଚାଲିଥିଲା। ଏବେ ସରକାର ବଦଳିଲେ, କଣ ମହାନଦୀକୁ ନେଇ ଛତିଶଗଡ଼ର ଆଭିମୁଖ୍ୟ ବଦଳିବ? ସେପଟେ ରାଜ୍ୟରେ ଶାସକ ଦଳ ବିଜେଡିର ରଣନୀତି କଣ ହେବ। ଏହାସହ ରାଜ୍ୟରେ କଂଗ୍ରେସର ଭୂମିକା କଣ ରହିବ?
ଛତିଶଗଡ଼ର ଇମ୍ପାକ୍ଟ ଓଡ଼ିଶା ଉପରେ ରହୁଛି। ପଞ୍ଚାୟତ ନିର୍ବାଚନ ହେଉ କି ବିଜେପୁର ଉପ ନିର୍ବାଚନ, ଦେଖିବାକୁ ମିଳିଥିଲା, ଛତିଶଗଡ଼ ସୀମାନ୍ତରେ ଥିବା ଓଡ଼ିଶାର ବିଭିନ୍ନ ଅଂଚଳକୁ ଆସି ପ୍ରଚାର କରୁଥିଲେ ବିଜେପି ନେତା। ଏପରି କି ରମଣ ସିଂହ ମଧ୍ୟ ଆସି ପ୍ରଚାର କରିଥିଲେ। ଏବେ ଛତିଶଗଡ଼ରେ ହାରିବା ପରେ ଆଗାମୀ ଦିନରେ ଏପରି କିଛି ଦେଖିବାକୁ ମିଳିବ କି? ଏ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାସହ ଛତିଶଗଡ଼ର ପ୍ରଭାବ ଓଡ଼ିଶା ରାଜନୀତି ଉପରେ କେତେ ପଡ଼ିବ ତାର ଆକଳନ ଆରମ୍ଭ ହୋଇଛି।
ମହାନଦୀ ପ୍ରସଙ୍ଗରେ ରମଣ ସିଂହ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ, ତାହା ଓଡ଼ିଶାରେ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଥିଲା। ଏବେ ସେ ହଟିବେ। ଛତିଶଗଡ଼ରେ ନୂଆ ସରକାର, ନୂଆ ନେତୃତ୍ୱ ମହାନଦୀକୁ ନେଇ କଣ ନୀତି ଗ୍ରହଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।