ସରୁନି ଦାଦନ ଦୁଃଖ, ଦାଦନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ହିଞ୍ଜିଳିରେ ବଢିବାରେ ଲାଗିଛି

ହିଞ୍ଜିଳିକାଟୁ: ସରୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ଅନେକ ସମୟରେ ଅନେକ ଶ୍ରମିକ ମୃତ ହୋଇ ଫେରୁଥିବା ବେଳେ ତଥାପି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଲୋକେ । ଜିଲ୍ଲାର ସମସ୍ତ ଅଂଚଳରୁ ହଜାର ହଜାର ଯୁବକ ବାହାର ରାଜ୍ୟରେ ଖଟୁଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ ରେ ଏହା ଆହୁରି ବଢିଯାଇଛି । ଏହି ଅଂଚଳରୁ ବର୍ଷ ବର୍ଷ ଧରି ପରିବାର ଠାରୁ ଦୂରରେ ରହି ଦାଦନ ଖଟୁଥିବା ଶ୍ରମିକଟି ସବୁବେଳେ ପରିବାରର ହସ ଖୁସି ଓ ଦୁଃଖ ସୁଖ ସାମିଲ ନ ହୋଇପାରି ଯନ୍ତ୍ରଣା ଭୋଗୁଥାଏ । ଦାଦନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ହିଞ୍ଜିଳି ରେ ବଢିବାରେ ଲାଗିଛି । ତେବେ ସେମିତି ଏକ ଗାଁ ହେଲା ରାଳବ ଗ୍ରାମ ।
ଯେଉଁ ଗାଁରେ ପ୍ରାୟ ଦୁଇ ହଜାରରୁ ଅଧିକ ବ୍ୟକ୍ତି ଦାଦନ ଶ୍ରମିକ ହୋଇ ବିଭିନ୍ନ ରାଜ୍ୟର ବିଭିନ୍ନ ଶିଳ୍ପ ରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଏମିତି କି ଏହି ଗାଁରେ ଅନେକ ଘରେ ଏବେ ବି ତାଲା ଝୁଲୁଥିବା ବେଳେ ନିଜ ଅଳ ତ ଦୂରର କଥା ନିଜ ଜିଲ୍ଲାରେ କୌଣସି ଭିତ୍ତିଭୂମି ନଥିବା ହେତୁ ଦାଦନ ହୋଇ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ଯ ହୋଇଥାନ୍ତି ବୋଲି କହିଛନ୍ତି ଏଠାକାର ଲୋକେ ।
ତେବେ ଦାଦନ ଖଟିବାକୁ ଯାଇ ଚାଲି ଯାଇ ଅନେକ ସମୟରେ ମଧ୍ଯ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି । ତଥାପି ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଆନ୍ତି ଏଠାକାର ଲୋକେ । ଏଠାକାର ବହୁ ବ୍ୟକ୍ତି ମୁମ୍ବାଇ ସୁରତ,ଚେନ୍ନାଇ, ଦିଲ୍ଲୀ, ବାଙ୍ଗାଲୋର ସମେତ ଦୁବାଇ,ସାଉଦି ଆରବ,ସିଙ୍ଗାପୁର ପରି ବଡ ବଡ ସହରର ବିଭିନ୍ନ କଳକାରଖାନାରେ କାମ କରୁଥିବା ବେଳେ ନିଜ ଭିଟାମାଟି ତଥା ସଂସାରକୁ ଛାଡି ଯିବାକୁ ପଡିଥାଏ । ତେବେ କେବଳ ଯେ ରାଳବ ଗାଁ ନୁହଁ ବରଂ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ପ୍ରାୟ ଲକ୍ଷାଧିକ ଲୋକ ଦାଦନ ଶ୍ରମିକ ଭାବେ ଖଟୁଥିବା ଜଣାପଡିଛି । ନୂଆ ସରକାର ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ପ୍ରଦାନ ପାଇଁ ଲୋକେ ନିବେଦନ କରିଛନ୍ତି l