ଅଶୁର୍ଲା ଗାଁ ନଦୀରେ ସେତୁ ନିର୍ମାଣ କେବେ ? ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ

ଦୁଇ ଜିଲ୍ଳାର ମଝିରେ ଅଛି ଅର୍ଜୁନି ନଦୀ । ଏହି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ଦୀର୍ଘ ୧୦ ବର୍ଷ ହେବ ଲୋକେ ଅଭିଯୋଗ କରୁଛନ୍ତି ହେଲେ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇପାରି ନାହିଁ । ଏନେଇ ସମସ୍ୟା ଭୋଗୁଛନ୍ତି ୩୦ ଖଣ୍ଡ ଗାଁ ଲୋକେ ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗାଁ ଠାରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ସେତୁ ନିର୍ମାଣ ହୋଇ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରଶାସନ ପକ୍ଷରୁ ମାଟି ମଧ୍ୟ ପରୀକ୍ଷା କରାଯାଇଛି ହେଲେ ପରୀକ୍ଷା କରିବାର ଦୁଇ ବର୍ଷ ପରେ ମଧ୍ୟ ଫଳ ଶୁନ । ସେତୁ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ପ୍ରତିନିଧି ସମେତ ଅଞ୍ଚଳବାସୀ ଅନେକ ଥର ଆନ୍ଦୋଳନ କରି ସାରିଛନ୍ତି ହେଲେ ହୋଇପାରିନି ବ୍ରିଜ୍ ନିର୍ମାଣ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଏକ ବିରାଟ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି ।
ତୁକୁଲା – ଅଶୁର୍ଲାର ମୁଖ୍ୟ ରାସ୍ତାରେ ବର୍ଷା ଦିନେ ପାଣି ଜମୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଫଳରେ ଲୋକେ ବହୁ ବାଟ ବୁଲି ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ମଧ୍ୟ ଦୁଃଖର ବିଷୟ ଏଠାରେ ନିର୍ମାଣ ହୋଇ ପାରିନି ବ୍ରିଜ । ନଦୀରେ ବ୍ରିଜ ପାଇଁ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ସ୍ବପ୍ନ ପାଲଟିଛି ସେତୁ । ବ୍ରିଜ୍ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାହତ ହୁଏ । ଅନ୍ୟପଟେ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଘୋର ସମସ୍ୟା ଦେଖିବାକୁ ମିଳିଛି । ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି ସେ ନିଜେ ସେହି ଅଞ୍ଚଳ ଗସ୍ତ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ । ପ୍ରଶାସନ ପକ୍ଷରୁ ଏହି ଗାଁର ନଦୀରେ ସେତୁ କେବେ ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା ।
Also Read: ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ପାଲଟିଛି ଡୁବୁଡୁବି ନଦୀ, ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ