ଶିଶୁ ଦିବସରେ ଅଘଟଣ : ଭାଷଣ ଦେଉଥିବା ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ
କଣ୍ଟାବାଞ୍ଜି : ଶିଶୁ ଦିବସରେ ଅଘଟଣ । ଭାଷଣ ଦେଉଥିବା ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଘଟିଛି । ମୃତ ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସ ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ଶିଶୁ ଦିବସ ନିମନ୍ତେ ଆଜି ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ଭାଷଣ ଦେଉଥିଲେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ । କିନ୍ତୁ ହଠାତ୍ ସେ ଟଳି ପଡ଼ିଥିଲେ । ପାଖରେ ଥିବା ଅନ୍ୟ ସହକର୍ମୀ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣାଯାଇଛି।