ଚିଲିକା ଉପରେ ଧଳା ରଙ୍ଗର ହେଲିକପ୍ଟର କାହିଁକି ଏବଂ କାହାର ଉଡିଲା ? ଏବେ ତଦନ୍ତ ହେଉଛି

ଚିଲିକା(କେନ୍ଯୁଜ୍) : ଚିଲିକା ଉପରେ ସି ପ୍ଲେନ ନୁହଁ ଉଡିଥିଲା ଧଳା ରଙ୍ଗର ହେଲିକପ୍ଟର। ଏହାକୁ ନେଇ ପୁରୀ ଜିଲ୍ଲା ଅରଖକୁଦା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି। ବେଆଇନ ଉଡଣା ଯୋଗୁଁ ପରିବେଶ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚିଲିକା ନୋ ପ୍ଲାଇଂ ଇକୋ ସେନସିଟିଭ୍‌ ଜୋନରେ ଆସୁଛି।

କିନ୍ତୁ ଚିଲିକା ଉପରେ ଉଡିଛି ହେଲିକପ୍ଟର। ଗତ ୧୫ ତାରିଖ ଦିନ ଦିନ ୧:୩୦ ମିନିଟରେ ଏକ ଧଳାରଙ୍ଗର ହେଲିକପ୍ଟର ଉଡିଛି। ଚିଲିକା ନୋ ପ୍ଲାଇଂ ଇକୋ ସେନସିଟିଭ୍‌ ଜୋନରେ ଆସୁଛି, ତେଣୁ ଏହି ବେଆଇନ ଉଡାଣ ନେଇ ଅରଖକୁଦା ମେରାଇନ ଥାନାରେ ଏଫଆଇର ଦେଇଛନ୍ତି ସିଡିଏ ଏସିଏଫ ବିନୋଦ ଆଚାର୍ଯ୍ୟ। ହେଲିକପ୍ଟରଟି ଚିଲିକାରୁ ବହୁତ କମ୍‌ ଉଚ୍ଚରେ ଉଡିଥିଲା। ଏପରିକି ଅବତରଣ ପାଇଁ ମଧ୍ୟ ଉଦ୍ୟମ ହୋଇଥିବା ଏଫଆଇରରେ ଦର୍ଶାଯାଇଛି। ଅଭିଯୁକ୍ତଙ୍କ ଏପରି ବେଆଇନ ଉଡାଣ ଯୋଗୁଁ, ପର୍ଯ୍ୟଟକ ଓ  ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଧନଜୀବନ ସହ ଡଲଫିନ ଓ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏଥି ସହ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଥିବା ଅଭିଯୋଗ କରାଯାଇଛି।

seaplane

ଏଫଆଇଆର ଆଧାରରେ, ବେଆଇନ ଭାବେ ସର୍ବସାଧରଣ ପାଇଁ ଥିବା ଜଳାଶୟ ନଷ୍ଟ କରିବା ଅଭିଯୋଗରେ ଆଇପିସିର ଧାରା ୨୭୭, ସ୍ୱାସ୍ଥ୍ୟ ହାନିକାରକ ପରିବେଶ ସୃଷ୍ଟି କରିବା ନେଇ ଧାରା ୨୭୮, ଧାରା ୩୩୬, ସର୍ବସାଧାରଣ ରାସ୍ତା, ବ୍ରିଜ୍‌ ଓ ନଦୀ ଆଦିକୁ ନଷ୍ଟ କରିବା ନେଇ ଧାରା ୪୩୧ରେ ମାମଲା ରୁଜୁ କରାଯାଇଛି। ଏସବୁ ମାମଲାରେ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏହାସହ ଏୟାର କ୍ରାଫ୍ଟ ଆକ୍ଟ ୧୧ରେ ମଧ୍ୟ ମାମଲା ରୁଜୁ ହୋଇଛି। ଯେଉଁଥିରେ ୨ ବର୍ଷ ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ।

ଆପଣଙ୍କ ସୂଚନା ପାଇଁ, ୱାଟର ଏରୋଡ୍ରମ ପ୍ରସଙ୍ଗଠାରୁ ଚର୍ଚ୍ଚାରେ ରହିଛି ଚିଲିକା। ଏ ସମୟରେ ଖବର ଆସିଥିଲା ଚିଲିକା ଉପରେ ସି-ପ୍ଲେନ୍‌ ଉଡିଛି। ଯାହାକୁ ନେଇ ବିବାଦ ସୃଷ୍ଟି ହେଲା। ଏପରି ଉଡଣାକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.