ଘନ କୁହୁଡିର ଚାଦର ତଳେ ସମଗ୍ର ରାଜ୍ଯ, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ

କେନ୍ଯୁଜ୍: ବାତ୍ୟା ଜୱାଦର ପ୍ରଭାବ ଅପସରି ଗଲା ପରେ ପରେ ଧସେଇ ପଶିଛି ଶୀତ । ଘନ କୁହୁଡିର ଚାଦରରେ ଛାଇ ହୋଇଛି ସମଗ୍ର ରାଜ୍ଯ ।ଘନ କୁହୁଡ଼ି ଯୋଗୁଁ ଆଗକୁ କିଛି ବି ଦେଖାଯାଉନାହିଁ । ଧଳା ରଙ୍ଗର ଅସ୍ତରଣ ଚାରିଆଡେ ଛାଇ ଯାଇଛି । କାକର ବି ଦେହକୁ ସ୍ପର୍ଶ କରୁଛି । କିଏ ବା ଏହି ଶୀତୁଆ ସକାଳର ମଜାକୁ ହାତଛଡ଼ା କରିବ । ତେଣୁ ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମ କରୁଛନ୍ତି ଲୋକେ ।

କନ୍ଧମାଳକୁ ଫେରିଛି ଶୀତ:

ଏପଟେ ଲଘୁଚାପ ଜନିତ ବର୍ଷା ଛାଡ଼ି ଯିବା ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ । ଜିଲ୍ଲାର ଫୁଲବାଣୀ, ଦରିଙ୍ଗିବାଡି, ବାଲିଗୁଡା, ଲୋତଗଡ, ତୁମୁଡିବନ୍ଧ, ରାଇକିଆ ଆଦି ଅଞ୍ଚଳରେ ତାପମାତ୍ରା ଖସି ୧୦ରୁ ୧୫ ଡିଗ୍ରୀ ମଧ୍ୟରେ ରହୁଛି । ଶୀତ ସହ ଘନ କୁହୁଡି ଓ ତା ସାଙ୍ଗକୁ ଟୋପା ଟୋପା କାକର ବିନ୍ଦୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିଲେ ବି ଅଞ୍ଚଳର ସୌନ୍ଦଯ୍ୟର୍କୁ ଯେମିତି ଦ୍ୱିଗୁଣିତ କରିଦେଇଛି । ସତେ ଯେମିତି ପ୍ରକୃତି ରାଣୀ ଧଳା ଚାଦର ଘୋଡ଼ାଇ ହୋଇ ରହିଛି ।

ଗଛପତ୍ର, ଫୁଲ ଉପରେ ଟୋପା ଟୋପା କାକର ବିନ୍ଦୁ ପଡି ସୂର୍ଯ୍ଯ କିରଣରେ ମୋତି ମାଣିକ୍ୟର ଭ୍ରମ ସୃଷ୍ଟି କରୁଛି । ଆଉ ଏହି ଦୃଶ୍ୟର ମଜା ନେବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଲାଣି କନ୍ଧମାଳରେ । ତେଣୁ ପ୍ରଶାସନ ଜିଲ୍ଲାର ସମସ୍ତ ପଯ୍ୟର୍ଟନ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖିଛି ।

 ମୟୁରଭଞ୍ଜ ଜିଲ୍ଲାରେ ଶୀତ ସହ ପ୍ରବଳ କୁହୁଡି:

ସେହିପରି ମୟୁରଭଞ୍ଜ ଜିଲ୍ଲାରେ ଶୀତ ସହ ପ୍ରବଳ କୁହୁଡି । ଶୀତ ଯୋଗୁଁ ଥରୁଛି ମୟୁରଭଞ୍ଜ । କୁହୁଡିର ମାତ୍ରା ଏତେ ଯେ ୧୫ ଫୁଟ ଯାଏଁ ମଧ୍ୟ ରାସ୍ତା ଦେଖାଯାଉନାହଁ । ସକାଳ ୭ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଛି । ବାତ୍ୟା ଜୱାଦ ପରେ ଜିଲ୍ଲାରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ଆଜି କରଞ୍ଜିଆ ଉପଖଣ୍ଡରେ ପ୍ରବଳ ଶୀତ ଅନୁଭୂତ ହେବା ସହ କୁହୁଡିର ମାତ୍ରା ମଧ୍ୟ ଅଧିକ ପରିଲକ୍ଷିତ ହୋଇଛି । ଫଳରେ ଜାତୀୟ ରାଜପଥ ୪୯ରେ ଯାତାୟାତ କଷ୍ଟକର ହୋଇପଡିଛି । କୁହୁଡି ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବରେଇପାଣି, ଯରନ୍ଦା ଜଳପ୍ରପାତ ଦୃଶ୍ୟମାନ ହେଉନାହିଁ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ଜାଗା ଜାଗାରେ ନିଆଁ ପୁଇଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.