ରାତି ଅଧରେ ଲକ୍ଷ୍ମୀସାଗର ଥାନା ବାହାରେ କାହିଁକି ବସିଛନ୍ତି ଏ ଦୁଇ ମହିଳା, କଣ ହେଇଛି ଏମାନଙ୍କର ?

ଭୁବନେଶ୍ବର : ଥାନା ଦୁଆରେ ରୁଣ୍ଡ ହୋଇଛନ୍ତି ଲୋକେ । ଜଣେ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ମୋ ମୁଣ୍ଡ…ମୋ ମୁଣ୍ଡ କହି ଭୋ ଭୋ ହୋଇ କାନ୍ଦୁଛନ୍ତି । ଏ ଦୃଶ୍ୟ ରାଜଧାନୀ ଭୁବନେଶ୍ବର ଲକ୍ଷ୍ମୀ ସାଗର ଥାନା ସାମ୍ନାର । ଜଣେ ଅଳ୍ପ ବୟସ୍କ ମହିଳା ଅନ୍ୟ ଜଣେ ମହିଳାଙ୍କ କୋଳରେ ମୁଣ୍ଡ ରଖି କାନ୍ଦୁଥାଆନ୍ତି l ମହିଳାଙ୍କ ମୁଣ୍ଡରେ ବାଣ୍ଡେଜ୍ ହୋଇ ଥାଏ l ମହିଳା ଜଣଙ୍କ ନିଜ ମୁଣ୍ଡକୁ ଧରି ମରିଯିବି ମୁଣ୍ଡ କଣ ହୋଇ ଯାଉଛି… ପୁଣି କିଛି ସମୟ ପରେ ପେଟ କଣ ହେଉଛି କହି ଚିତ୍କାର କରୁଥାଆନ୍ତି l ଏହି ସମୟରେ କାନ୍ଦୁଥିବା ମହିଳାଙ୍କୁ ଆଉଁସି ଦେଇ ଆଉ ଟିକେ ନିଜ କୋଳକୁ ନେଇ କହୁଥାନ୍ତି ଶୀଘ୍ର ଯାଇ କେହି ଟିକେ ଅଟୋ ଡାକ ୟାକୁ ଡାକ୍ତର ଖାନା ନେଇଯିବା l ଅନ୍ୟ କେତେ ଜଣ ମହିଳା ତାଙ୍କୁ ଘେରି ରହିଥାନ୍ତି । ମଧ୍ୟ ରାତିରେ କଷ୍ଟ ଜନିତ କାନ୍ଦ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଉଥାଏ l ତେବେ ଘଟଣା କଣ କାହିଁକି ଏମାନେ ଏତେ ରାତିରେ ଲକ୍ଷ୍ମୀସାଗର ଥାନା ନିକଟରେ ଏଭଳି ସ୍ଥିତିରେ ପଡ଼ି ରହିଛନ୍ତି l କଣ ହୋଇଛି ଏମାନଙ୍କର ? ଯେଉଁଥିପାଇଁ ଜୀବନ ବିକଳରେ ନ୍ୟାୟ ପାଇବା ପାଇଁ ଧାଇଁ ଆସିଛନ୍ତି ।
ପୀଡିତାଙ୍କ କହିବା ଅନୁସାରେ, ପୀଡିତାଙ୍କ ନାଁ ସ୍ୱପ୍ନା ପାଶ୍ବାନ l ସ୍ୱପ୍ନା ନିଜର ଗୋଟିଏ ଛୋଟ ଝିଅକୁ ନେଇ ନିଜ ବାପା ମା’ ପରିବାରଙ୍କ ସହିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାର ସିଟି ଭଡା ରେ ରହି ଆସୁଛନ୍ତି l କିନ୍ତୁ ଯେଉଁଠି ଭଡାରେ ରୁହନ୍ତି ସେଠିକାର ଜଣେ ସ୍ଥାୟୀ ବାସିନ୍ଦା ମହିଳା ଓ ଅନ୍ୟ ଜଣେ ଦୁଇ ଜଣ ପୁରୁଷ ସାମାନ୍ୟ ବଚସାକୁ କେନ୍ଦ୍ର କରି ଆକ୍ରମଣ କରି ଲହୁ ଲୁହାଣ କରିବା କଥା ଅଭିଯୋଗ ଆଣିଛନ୍ତି l
ଘଟଣା ଦିନ ସ୍ୱପ୍ନାଙ୍କ ଭାଇ କୁଆଡେ ମଦ ପିଇ ଆସି ସ୍ୱପ୍ନାଙ୍କ ମାଆ ସହିତ ଝଗଡା କରୁଥିବା ବେଳେ କିଛି ଭାଷା ଅଭାଷା କହୁଥିଲେ । ଏହାକୁ ନେଇ ସ୍ଥାୟୀ ବାସିନ୍ଦା ମହିଳା ଜଣକ ବିରୋଧ କରିଥିଲେ l ତାପରେ ବଚସା ଆରମ୍ଭ ହୋଇଥିଲା l କିନ୍ତୁ ଏହି ବଚସା ପରେ ଉଗ୍ର ରୂପ ଧାରଣ କରିଥିଲା l ଶେଷରେ ସେମାନେ ଏଭଳି ଅବସ୍ଥା କରିଛନ୍ତି ମାରଣାସ୍ତ୍ରରେ ଆକ୍ରମଣ କରି l ଏହି ଆକ୍ରମଣରେ ସ୍ୱପ୍ନା, ତାଙ୍କ ମାଆ ଓ ଭାଇ ଗୁରୁତର ହୋଇଥିଲେ l ତେବେ ଏ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ ସ୍ୱପ୍ନାଙ୍କ ପରିବାର ଲୋକେ ।
ଅଭିଯୋଗ ଆଧାରରେ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଫରୱାଡ଼ର୍ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ l କିନ୍ତୁ ଏ ଘଟଣାରେ ମୁଖ୍ୟ ଆକ୍ରମଣକାରୀ କେତେଜଣ ଫେରାର ଅଛନ୍ତି । ଖାଲି ସେତିକି ନୁହେଁ ଜାତିବାଦ କଥା ଉଠିଥିବା ନେଇ ସ୍ୱପ୍ନାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ସେମାନଙ୍କୁ ଗିରଫ ଦାବିରେ ଲକ୍ଷ୍ମୀ ସାଗର ଥାନା ଘେରାଉ କରିଥିଲେ l