ଘରୋଇ ନର୍ସିଂହୋମରେ ପ୍ରସୂତୀ ମୃତ୍ୟୁ ଅଭିଯୋଗର ତଦନ୍ତ କରୁ ନାହିଁ କାହିଁକି ପୋଲିସ୍ ?

ସାଲେପୁର: ଘରୋଇ ନର୍ସିଂ ହୋମ ପାଲଟିଛି ମୃତ୍ୟୁର ଗନ୍ତା ଘର । ଚିକିତ୍ସା ଅଭାବରୁ ଅକାରଣରେ ଯାଉଛି ନିରିହଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ସାଲେପୁରରେ ଥିବା ଏକ ଘରୋଇ ନର୍ସିଂ ହୋମ ନାଁରେ । ପ୍ରସୂତିଙ୍କ ମୃତ୍ୟୁର ୫ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ ଯେମିତି ବାଟବଣା ହୋଇଛି । ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ପରିବାର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ତେବେ ସାଲେପୁର ଥାନା ଅଧୀନ କଟକ ଚାନ୍ଦବାଲି ରାସ୍ତାର ସପନପୁର ଠାରେ ଅବସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ମୃତକଙ୍କ ସ୍ବାମୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରସୂତିଙ୍କ ମୃତ୍ୟୁର ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ନେଇ ମୃତକଙ୍କ ପରିବାର ଲୋକେ ସାଲେପୁର ଥାନାକୁ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଆବଶ୍ୟକ ସ୍ଥଳେ ସହ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମୃତକଙ୍କ ସ୍ବାମୀ କହିଛନ୍ତି ।
ଅଭିଯୋଗ ମୁତାବକ, ସାଲେପୁର ଥାନା ଛାଣି ପୁର ପଞ୍ଚାୟତ ରାମକୃଷ୍ଣ ପୁର ଗାଁର ପତିତପାବନ ନାୟକଙ୍କ ପତ୍ନୀ ନନ୍ଦିନୀ ସ୍ବାଇଁ ଗତ ଶୁକ୍ରବାର ଉକ୍ତ ନର୍ସିଂ ହୋମ ରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ସନ୍ଧ୍ୟାରେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ଏହାପରେ ରାତିରେ ନନ୍ଦିନୀଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ସେ ସମୟରେ ନର୍ସିଂ ହୋମରେ କୌଣସି ଡ଼ାକ୍ତର ଉପସ୍ଥିତ ନ ଥିବା ଅଭିଯୋଗ ହୋଇଥିଲା । ଶନିବାର ସକାଳେ ଜଣେ ନର୍ସ ନନ୍ଦିନୀଙ୍କୁ ସାଲାଇନ ସହ ୨ଟି ଇଞ୍ଜେକସନ ଦେଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉକ୍ତ ଦିନ ନର୍ସିଂ ହୋମ ସମ୍ମୁଖରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା। ତେବେ ଘଟଣାର ୫ ଦିନ ବିତି ଯାଇଥିଲେ ପୋଲିସର ତଦନ୍ତରେ ଶିଥଳତା ନେଇ ମୃତକ ପରିବାର ଲୋକେ ଏବେ ସାଲେପୁର ଥାନକୁ ଆସି ନ୍ୟାୟ ଦାବି ସହ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଲିଖିତ ମଧ୍ୟ ଜଣାଇଛନ୍ତି ।
ଯଦି ମୃତକଙ୍କ ପରିବାରକୁ ନ୍ୟାୟ ନ ମିଳେ,ତେବେ ପରିବାର ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ମୃତକଙ୍କ ପରିବାର ଓ ଅଞ୍ଚଳ ବାସି କହିବା ସହ ମୃତ୍ୟୁ ଘଟଣାରେ ନର୍ସିଂ ହୋମର ଖାମଖିଆଲି ନୀତି ଓ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି । ଏହା ସହ ଉକ୍ତ ନର୍ସିଂ ହୋମ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅପରପକ୍ଷରେ ନର୍ସିଂହୋମ କତ୍ତୃପକ୍ଷ ଏବଂ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।
Also Read:ଭୁବନେଶ୍ବରରେ ନୀତିନ ଗଡ଼କରୀ, ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ