କ’ଣ ପାଇଁ ଜୀବନ ହାରିଲେ ଲେଡି କନେଷ୍ଟବଳ ଯଶୋଦା ଦାସ?

ବାଲେଶ୍ଵର: କ’ଣ ପାଇଁ ଜୀବନ ହାରିଲେ ଯଶୋଦା ? ବାଲେଶ୍ଵରରେ ଲେଡି କନେଷ୍ଟବଳ ଯଶୋଦା ଦାସ । ମୃତ୍ୟୁ ପଛରେ ପ୍ରେମ-ପ୍ରତାରଣା ନା ବ୍ୟକ୍ତିଗତ କାରଣ ? ସହକର୍ମୀଙ୍କ ସହ ପ୍ରେମଜନିତ କାରଣରୁ ନେଇଛନ୍ତି କି ଚରମ ନିଷ୍ପତ୍ତି? ବିବାହ ପ୍ରତିଶ୍ରୁତି ଦେଇ କନେଷ୍ଟବଳ ବଳରାମ ଶାରୀରିକ ସମ୍ପର୍କ ରଖିଥିଲେ! ମୋବାଇଲ ଓ ଡାଏରୀରୁ ଖୋଲିବ ମୃତ୍ୟୁ ପଛର ସସପେନ୍ସ ।
ବାଲେଶ୍ଵରରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ପୂର୍ବରୁ ହ୍ୱାଟ୍ସଆପ ରେ ଦୁଃଖଭରା ଷ୍ଟାଟସ୍ । ବେଳେବେଳେ ମଣିଷ ହୀରାକୁ ଖୋଜିବାକୁ ଯାଇ ମୂଲ୍ୟବାନ ସୁନାକୁ ହାତ ମୁଠାରେ ପାଇ ମଧ୍ୟ ଫିଙ୍ଗି ଦେଇଥାଏ । ଯେତେବେଳେ ହୀରା ଖୋଜି ଖୋଜି ଥକିଯାଏ ସେବେ ସେ ବୁଝିପାରେ ପିଙ୍ଗିଥିବା ସୁନାର ମୂଲ୍ୟ କେତେ କଣ । ଇଏ ଥିଲା ମୃତ୍ୟୁ ପୂର୍ବରୁ କନେଷ୍ଟବଳ ଯଶୋଦା ଦାସଙ୍କ ମୋବାଇଲରେ ହ୍ୱାଟ୍ସଆପ ଷ୍ଟାଟସ୍ । ସେହିପରି ଜବତ ହୋଇଛି ଏକ ହାତ ଲେଖା ନୋଟ୍ । ଯେଉଁଥିରେ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି । ହେଲେ କାହିଁକି ମୃତ୍ୟୁବରଣ କଲେ ମହିଳା କନେଷ୍ଟବଳ ଯଶୋଦା ଦାସ ତାହା ଏକ କୁହେଳିକା ସୃଷ୍ଟି କରିଛି ।
ମୃତ ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ। ବାଲେଶ୍ଵର ପୋଲିସ୍ ବାରାକରେ ଗତକାଲି ସନ୍ଦେହଜନକ ଅବସ୍ଥାରେ ଯଶୋଦାଙ୍କୁ ଉଦ୍ଧାର କରାଯାଇଥିଲା । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଏହି ମୃତ୍ୟୁ ପଛରେ ପ୍ରେମ ଜନିତ କାରଣ ରହିଛି । ଜଣେ ସହକର୍ମୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ।
କନେଷ୍ଟବଳ ଯଶୋଦା ଦାସଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । କ’ଣ ପାଇଁ ଚରମ ନିଷ୍ପତ୍ତି ନେଲେ ଯଶୋଦା ? ଏହା ପ୍ରେମଜନିତ ନା କୌଣସି ବ୍ୟକ୍ତିଗତ କାରଣ ରହିଛି । ଏହି ଘଟଣାରେ ପୋଲିସ ତନାଘନା ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସିଟି ଡିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ପଚାରଉଚୁରା କରିଛନ୍ତି । ଯଶୋଦାଙ୍କ ମୋବାଇଲ ଫୋନ ଓ ଡାଏରୀକୁ ଜବତ କରାଯାଇଛି । ବାଲେଶ୍ଵର ଏସପି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣା ପଡୁଛି ସେ ବ୍ୟକ୍ତିଗତ କାରଣ ପାଇଁ ମୃତ୍ୟୁ କରିଥାଇପାରନ୍ତି ।
କନେଷ୍ଟବଳ ଯଶୋଦା ଦାସଙ୍କ ମୃତ୍ୟୁକୁ ନେଇ ପୋଲିସ୍ ବାରାକରେ ହଇଚଇ ସୃଷ୍ଟି ହୋଇଥିଲା । ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।
ଆହୁରି ପଢନ୍ତୁ: ଝଗଡ଼ା ସମାଧାନ କରିବାକୁ ଯାଇ ହଟହଟା ହେଲେ କନେଷ୍ଟବଳ, ୨ପରିବାର ମିଶି କଲେ ଆକ୍ରମଣ