ଆଇସିୟୁରେ ରହୁଛନ୍ତି ଜଗା ବଳିଆ, ତାଙ୍କୁ ଭେଟିବାକୁ ଅନୁମତି ଦିଆଯିବା କଣ ଠିକ୍‌ ହେଉଛି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁରୁ ଅଲଗା ହୋଇଥିବା ଯାଆଁଳା ଭାଇ ଜଗା ବଳିଆ ଏବେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀ ଏମ୍‌ସରେ ବିରଳ ଅପରେସନ୍‌ ପରେ ପ୍ରାୟ ଦୀର୍ଘ ଦୁଇ ବର୍ଷ ଧରି ଚିକିତ୍ସାଧୀନ ରହିବା ପରେ ସେମାନେ କଟକ ଫେରିଛନ୍ତି । ଡାକ୍ତରଙ୍କ ଅନୁସାରେ ଜଗା ଭଲ ଥିବା ବେଳେ ବଳିଆର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି । ତଥାପି ଉଭୟଙ୍କୁ ଆଇସିୟୁରେ ରଖା ଯାଇଛି । କାରଣ ସଂକ୍ରମଣର ଭୟ ରହିଛି । ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ରହିଛନ୍ତି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟର ନଜର ରହିଛି ଏହି ଦୁଇ କୁନି ପିଲାଙ୍କ ଉପରେ ।
ହେଲେ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଇସିୟୁ ଭିତରେ ରଖା ଯାଉଥିବା ଏହି ପିଲାମାନଙ୍କୁ ଦେଖିବା ବା ସାକ୍ଷାତ କରିବା ଲାଗି ନେତା ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ କାହିଁକି ଯାଉଛନ୍ତି ? ଯଦି ସମସ୍ତଙ୍କୁ ବାରଣ କରାଯାଇଛି ତେବେ ସେମାନଙ୍କ ଉପରେ ଏହି କଟକଣା ରହୁନାହିଁ କାହିଁକି ? ଆଉ ଯଦିବି ଏମାନେ ପିଲା ଦୁଇଟିଙ୍କୁ ଦେଖିବା ଲାଗି ଯାଉଛନ୍ତି ତେବେ ଆଇସିୟୁ ଭିତରକୁ ଯିବା ପୂର୍ବରୁ ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ । ସ୍ୱଚ୍ଛତା ସହିତ ଅନ୍ୟାନ୍ୟ ଦିଗକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର । କାରଣ ଜଗାର ଖପୁରୀ ନାହିଁ । ତାର ଖପୁରୀ ପ୍ରତିରୋପଣ ହେବ ଏବଂ କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ।
ତେଣୁ ମେଡିକାଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ଆଇସିୟୁ ଭିତରକୁ ଛାଡ଼ିବା ଉଚିତ ହେଉନାହିଁ । ହୁଏତ ଏହି ଅବୋଧ ଶିଶୁ ଦୁଇଟିଙ୍କ ପ୍ରତି ସମସ୍ତଙ୍କର ଦରଦ ରହିଛି ହେଲେ ଏଇ ଦରଦ ସେମାନଙ୍କ ପାଇଁ ଘାତକ ବି ହୋଇ ପାରେ । ତେଣୁ ଉଭୟ ଏସ୍‌ସିବି ଅଧିକାରୀ ଏବଂ ନିଜେ ବିଶିଷ୍ଟ ବ୍ୟକ୍ତିମାନେ ଏ ନେଇ ସଚେତନ ରହିବ ଉଚିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.