କାହିଁକି ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଅନଶନରେ ବସିଲେ ଏହି ବରିଷ୍ଠ ନାଗରିକ ଦମ୍ପତି ?

ନୟାଗଡ଼ (କେ ନ୍ୟୁଜ୍) : ଧାରଣାରେ ବସିଲେ ବରିଷ୍ଠ ନାଗରିକ ଦମ୍ପତି । ପ୍ରାୟ ୧୩ ମାସ ତଳେ ହୋଇଥିବା ଏକ ଚୋରି ଘଟଣାକୁ ପୋଲିସ୍ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ସେମାନେ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ନୟାଗଡ଼ ଦେବୋତ୍ତର କଲୋନୀ ନିବାସୀ କାହ୍ନ ଚରଣ କର ଏବଂ ତାଙ୍କ ପତ୍ନୀ ଅନଶନରେ ବସିଥିଲେ । ତାଙ୍କୁ ଶେଷରେ ପୋଲିସ୍ ଅଧିକାରୀ ଆସି ବୁଝାସୁଝା କରିଥିଲେ । ସୂଚନା ଅନୁଯାୟୀ, ୨୦୧୭ ନଭେମ୍ବର ୩ ତାରିଖରେ ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ଘରୁ ଚୋରମାନେ ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ । ଏ ନେଇ ସେମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଓଲଟା ଏଫ୍ଆଇଆରରେ ମାତ୍ର ୨ ଲକ୍ଷ ଟଙ୍କାର ଜିନିଷପତ୍ର ଚୋରି ହୋଇଥିବା ଲେଖିଛି ବୋଲି ସେ ଅଭିଯୋଗ କରିଛନ୍ତି ।