ନିର୍ଯାତନା ଦେଇ ତଡ଼ି ଦେଲେ ସ୍ବାମୀ, ମହିଳା ଥାନାରେ ପୀଡ଼ିତା

ରାଉରକେଲା : ସ୍ବାମୀ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ । ଫେକ କଲସେଣ୍ଟର ଚଳାଇ ଅମାପ ସମ୍ପତ୍ତି ରୋଜଗାର କରୁଛନ୍ତି ସ୍ବାମୀ । ଏଭଳି ଅଭିଯୋଗ ନେଇ ରାଉରକେଲା ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳା। କୋଲକତାର ହାଇଦର ଅଲ୍ଲୀ ନିଜ ବିବାହିତ ପତ୍ନୀଙ୍କୁ ନିର୍ଯାତନା ଦେଇ ଘରୁ ବିଦା କରି ଦେଇଛନ୍ତି । ସେହି ପତ୍ନୀ ଆଣିଛନ୍ତି ଅଭିଯୋଗ । ଭୁବନେଶ୍ୱରରେ ବହୁ ଦେଶ ବିଦେଶର ଲୋକଙ୍କୁ ଠକିବା ପାଇଁ ଫେକ କଲସେଣ୍ଟର ଚଳାଇ ଥିବା କୋଲକତାର ମାଷ୍ଟର ମାଇଣ୍ଡ ହେଉଛି ହାଇଦର ଅଲ୍ଲୀ । ତାଙ୍କରି ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ ସାହିନା ପରବିନ । ନିଜକୁ ବେଶ୍ ପ୍ରତିପତ୍ତିଶାଳୀ ପରିବାରର ପରିଚୟ ଦେଇ କୋଲକତାର ମହମ୍ମଦ ଅସ୍ଲମର ପୁଅ ହାଇଦର ଗତ ଜାନୁଆରୀ ୩୦ ତାରିଖରେ ବାହା ହୋଇଥିଲେ । ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ରହୁଥିବା ସଇଦ୍ ଆଲାମଙ୍କ ଝିଅ ସାହିନା ପରବିନକୁ ବିବାହ କରିଥିଲେ ।

ବାହାଘର ପରେ ସାହିନା ଜାଣିବାକୁ ପାଇଲେ କି ହାଇଦର ଅନଲାଇନ ବ୍ୟବସାୟରେ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି । ତେବେ ଠକ ରାକେଟ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ହାତରେ ଗିରଫ ହେବାପରେ ହାଇଦର ଅଲ୍ଲୀର ଅସଲ ମୁଖା ଖୋଲି ଯାଇଥିଲା। ଅକ୍ଟୋବର ୧୬ ତାରିଖ ରାତିରେ ଭୁବନେଶ୍ୱର ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟରୁ ହାଇଦର ସମେତ ୬ ଜଣିଆ ପଶ୍ଚିମବଙ୍ଗ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଥିଲା କମିଶନରେଟ ପୋଲିସ୍। ଶାଶୁଘର ଲୋକଙ୍କ ସହ ମୋବାଇଲରେ କଥା ହେବା ସମୟରେ ପୋଲିସ ହାଇଦରକୁ ଗିରଫ କରିବା ସମ୍ପର୍କରେ ଶୁଣିଲେ ସାହିନା । ପରିବାର ଲୋକଙ୍କୁ ପଚାରି ଥିଲେ ହାଇଦର କଣ ବ୍ୟବସାୟ କରୁଥିଲା ଓ ପୋଲିସ୍ ତାଙ୍କୁ କାହିଁକି ଗିରଫ କଲା ବୋଲି । ଯଦିଓ ହାଇଦରର ପରିବାର ଲୋକେ ସଠିକ ଭାବେ କିଛି କହି ନଥିଲେ କିନ୍ତୁ ଧୀରେ ଧୀରେ ଏସବୁ ବିଷୟରେ ଜଣାପଡ଼ିଗଲା । ଆଉ ଏକଥା ଜାଣିବା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ରାଉରକେଲା ମହିଳା ଥାନାରେ ଏଭଳି ଅଭିଯୋଗ କରିଛନ୍ତି ସାହିନା ପରବିନ ଓ ତାଙ୍କ ପରିବାର।

ସାଇବର ଠକ ହାଇଦରକୁ ଜାମିନରେ ଆଣିବା ପାଇଁ ତା ପରିବାରର ଦାବି ମୁତାବକ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଦେଇଥିବା ସାହିନର ପରିବାର ପକ୍ଷରୁ କୁହାଯାଇଛି । ସେପଟେ ଫେକ କଲସେଣ୍ଟର ମାଧ୍ୟମରେ ହାଇଦର ଚଳାଇଥିବା ଠକେଇ ସମ୍ପର୍କରେ ସାହିନ ଜାଣିଯିବା ପରେ ତାଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଉଥିଲା । ସାହିନା ପରବିନଙ୍କୁ ଦୁର୍ବୟବହାର କରିବା ସହ ମାଡ଼ ମାରିଥିଲେ ଏବଂ ଗରମ ଲୁହା ଚେଙ୍କ ଦେଇ ଘରୁ ବାହାର କରିଥିଲେ । ଏଭଳି ଅଭିଯୋଗ ଆଣିଛନ୍ତି ସାହିନାଙ୍କ ଭାଇ ମହମ୍ମଦ ଆଫ୍ରୋଜ ଓ ବାପା ମହମ୍ମଦ ସଇଦ ଆଲାମ ।

ସାହିନା ପରବିନ ନିଜ ଉପରେ ହୋଇଥିବା ଅତ୍ୟାଚାର ପାଇଁ ନ୍ୟାୟ ଭିକ୍ଷା କରି ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ବାପା ଓ ଭାଇ ମଧ୍ୟ ତାଙ୍କ ପାଇଁ ନ୍ୟାୟ ଆଶାରେ ରାଉରକେଲା ଏସପିଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ତେବେ ପୋଲିସ୍ ତଦନ୍ତ ପରେ ହିଁ ଗୁମର ଫିଟିବ ସବୁ ଅଭିଯୋଗର ।