ମୁଣ୍ଡରେ ପଶିଲା ଯୌତୁକ ନିଶା, ସ୍ଵାମୀ ମାଡ଼ରେ ସ୍ତ୍ରୀ ଓ ଶାଶୁ ଗୁରୁତର

କାମାକ୍ଷାନଗର: ଭଲପାଇ ବାହା ହେଲେ । ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ ଅଟକିଗଲା । ମୁଣ୍ଡରେ ପଶିଲା ଯୌତୁକ ନିଶା ।
ହଁ ଆଜ୍ଞା ପ୍ରେମ ବିବାହର କରୁଣ ପରିଣତି । ପ୍ରଥମେ ଭଲ ପାଇଲେ ଓ ପରେ ଗଢି ଉଠିଥିବା ପ୍ରେମ ସମ୍ପର୍କ । ସେହି ସମ୍ପର୍କ ଯୋଗୁ ଉଭୟ ଲୁଚି ପଳାଇଲେ ଘରୁ । କିନ୍ତୁ ଏବେ ଯୌତୁୁକ ଦାବିରେ ସ୍ତ୍ରୀକୁ ବାରମ୍ବାର ମାଡ ମାରି ଲହୁ ଲୁହାଣ କରିବା ପରେ, ମରଣ ସହିତ ଲଢେଇ କରୁଛନ୍ତି ଉଭୟ ସ୍ତ୍ରୀ ଓ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମରେ ।
ମହୁଲପାଳ ଗ୍ରାମର ସରିତା ନାୟକ ଗତ ୭ବର୍ଷ ପୂର୍ବେ ସେହି ଗ୍ରାମର ଗିରିଶ ଚନ୍ଦ୍ର ନାୟକଙ୍କୁ ଭଲପାଇ ଘରୁ ଲୁଚି ପଳାଇଥିଲେ । ତାପର ଠାରୁ କିଛି ଦିନ ଉଭୟଙ୍କ ଭିତରେ ପାରିବାରିକ ସମ୍ପର୍କ ଭଲରେ ଚାଲିଥିଲା । କିନ୍ତୁ କିଛି ଦିନ ଯିବା ପରେ ସ୍ଵାମୀ ଗିରିଶ ଯୌତୁକ ଆଣିବାକୁ କହି ସ୍ତ୍ରୀକୁ ବାରମ୍ବାର ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ କରିଥିଲା । ଏହାକୁ ନେଇ କିଛି ମାସ ତଳେ ଉଭୟ ପରିବାର ମଧ୍ୟରେ କିଛି ଭଦ୍ର ଲୋକଙ୍କ ଉପସ୍ଥିତିରେ କୋର୍ଟ ପେପରରେ ଲେଖା ମଧ୍ୟ ହୋଇଥିଲା । ଆଉ କେବେ ସ୍ତ୍ରୀ ସରିତାଙ୍କୁ ମାଡ ମାରିବ ନାହିଁ କି ନିର୍ଯ୍ୟାତନା ମଧ୍ୟ ଦେବ ନାହିଁ ବୋଲି ସମସ୍ତଙ୍କ ସାମ୍ନାରେ ଗିରିଣ କହିଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଯାହାକୁ ନେଇ ସରିତା ନିଜ ୪ବର୍ଷର ପୁଅକୁ ନେଇ ବାପ ଘରକୁ ପଳାଇ ଆସି ସେଠାରେ ହିଁ ରହୁଥିଲେ ।
ତେବେ ହଠାତ୍ ଆଜି ସକାଳେ ଗିରିଶ ସରିତାଙ୍କ ଘରକୁ ଆସି ତାଙ୍କୁ ଯୋର ଜବରଦସ୍ତି ଘରକୁ ଯିବାକୁ କହିଥିଲା । ସରିତା ଯିବାକୁ ଅରାଜି ହେବାରୁ ତାଙ୍କୁ ମାଡ ମାରିବା ସହ ତାଙ୍କ ପେଟ ଉପରେ ଛିଡା ହୋଇପଡିଥିଲା ଗିରିଶ । ଏଥିରେ ଲହୁ ଲୁହାଣ ହୋଇ ମୂର୍ମୂଷ ଅବସ୍ଥାରେ ପଡିଯାଇଥିଲେ ସରିତା । ଏହା ଦେଖି ସରିତାଙ୍କ ମାଆ ତାଙ୍କୁ ଉଦ୍ଧାର କରିବାକୁ ଯିବା ବେଳେ ଗିରିଶ ତାଙ୍କୁ ମଧ୍ୟ ମାଡ ମାରିଥିଲା । ତେବେ ଉଭୟ ମାଆ ଓ ଝିଅ ଏବେ ଗୁୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍ କରି ଦିଅନ୍ତି । କିନ୍ତୁ ଏମିତି ପୁଣି ଏକ କାହାଣୀ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ । ତେବେ ପ୍ରେମ, ପ୍ରେମିକା, ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ତଥାପି ଆଗପଛ ବିଚାର ନ କରି ଅନେକ ପ୍ରେମୀ ଯୁଗଳ ସ୍ୱଳ୍ପ ସମୟର ଖୁସି ପାଇଁ ନିଜର ଜୀବନକୁ ବରବାଦ କରୁଛନ୍ତି ।
ଆହୁରି ପଢନ୍ତୁ: ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା, ୩ଟି ଅଫିସର ଆସବାବପତ୍ର ଜବତ ନିର୍ଦ୍ଦେଶ