ଜଗତସିଂହପୁର : ସ୍ବାମୀ ଆଖି ସାମ୍ନାରେ ସ୍ତ୍ରୀ ବୁଜିଦେଲା ଆଖି…ସ୍ବାମୀ ଚାହିଁଚି ହାଇୱା ଆସି ପିଟିଦେଲା ସ୍ତ୍ରୀକୁ…ଗାଡ଼ି ଘୋଷାଡି ନେଲା ଶହେ ମିଟର ଦୂରକୁ…କ୍ଷଣିକରେ ଚାଲିଗଲା ଜୀବନ ସ୍ତ୍ରୀର…ସ୍ତ୍ରୀର ଭ୍ୟାନିଟୀ ବ୍ୟାଗ୍ ଧରି ଛିଡା ହୋଇଛନ୍ତି ସ୍ବାମୀ । ପୂରା ହତାଶ ଆଉ ଦୁଃଖରେ ଇଆଡେ ସିଆଡେ ଚାହୁଁଛନ୍ତି । ଅଚାନକ କଣ ଘଟିଗଲା । କ୍ଷଣିକରେ ସବୁକିଛି ବଦଳିଗଲା । ସ୍ବାମୀ ସାର୍ଟ ସାରା ରକ୍ତର ଛିଟା । ସ୍ବାମୀ ଆଗରେ ସ୍ତ୍ରୀକୁ ଟ୍ରକ ପିଟି ଦେଲା । ଆହତ ସ୍ତ୍ରୀକୁ ସ୍ବାମୀ ଟେକି ଆଣିଥିଲେ, କାଳେ ମୋ ସ୍ତ୍ରୀ ବଞ୍ଚିଯିବ । ହେଲେ ସ୍ବାମୀ ଆଉ ଜାଣି ନାହାନ୍ତି ସ୍ତ୍ରୀର ପ୍ରାଣବାୟୁ ସେଇଠି ହିଁ ଚାଲି ଯାଇଥିଲା ଯେତେବେଳେ ହାଇୱା ଅତି ଦୃତ ଗତିରେ ଆସି ପିଟି ଦେଲା ତାଙ୍କୁ ।
ସ୍ବାମୀ ଆଗରେ ସ୍ତ୍ରୀକୁ ଟ୍ରକ ପିଟି ଦେଇ ମାରିଦେଲା । ବୟସର ଅପରାହ୍ନରେ ସ୍ତ୍ରୀ ହିଁ ତ ଥିଲେ ସବୁ ଦୁଃଖର ସାଥୀ । ଏବେ ସ୍ତ୍ରୀ ବିନା ବେସାରା ହୋଇଯାଇଛନ୍ତି ଏ ସ୍ବାମୀ । ହସ୍ପିଟାଲ ବାହାରେ ସ୍ତ୍ରୀର ଭ୍ୟାନିଟି ବ୍ୟାଗ୍ ଧରି ଛିଡା ହୋଇଛନ୍ତି । ପାଖରେ ବନ୍ଧୁ ପରିଜନ କାନ୍ଦୁଛନ୍ତି । କିନ୍ତୁ ଏ ସ୍ବାମୀ ଅତି ଦମ୍ଭର ସହ ଛିଡାହୋଇଛନ୍ତି ମନ ଭିତରେ ନିଜ କୋହକୁ ଲୁଚାଇ । କାରଣ ଅଚାନକ ଘଟଣା ତାଙ୍କୁ ଯେମିତି ଏକ ପ୍ରକାର ସ୍ତବଧ କରି ଦେଇଛି ।
ଜଗତସିଂହପୁର-କନ୍ଦରପୁର ରାସ୍ତାର ବସନ୍ତପୁର ଅଳକା କଲେଜ ଛକରେ ଆଜି ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହା ଆପଣଙ୍କୁ କନ୍ଦାଇ ଦେବ । ମହିଳା ହେଲଥ ସୁପରଭାଇଜରଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା ଟ୍ରକ, ସେ ପୁଣି ସ୍ବାମୀଙ୍କ ଆଖି ଆଗରେ । ସ୍ବାମୀ ଚାହିଁଛନ୍ତି ସ୍ତ୍ରୀ ରାସ୍ତା ପାରି ହୋଇ ଆସିବ । ହେଲେ କେଉଁଠି ଥିଲା କେଜାଣି ଯମଦୂତ ଭଳି ମାଡି ଆସିଲା ହାଇୱା, ଆଉ ସ୍ତ୍ରୀକୁ ଘୋଷାଡି ନେଇ ଚାଲିଗଲା ।
ବେପରୁଆ ଗାଡି ଚାଳନା ପାଇଁ ଆଜି ହେଲଥ ସୁପରଭାଇଜର ରଂଜନା ରାୟଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ ରଂଜନା ରାୟ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲଥ ସୁପରଭାଇଜର ଭାବେ କାମ କରୁଥିଲେ। ପ୍ରତିଦିନ ଭଳି ଆଜି ନିଜର ଡ୍ୟୁଟି ସାରି ବସନ୍ତପୁର ସ୍ଥିତ ଘରକୁ ଏକ ବସ ଯୋଗେ ଫେରୁଥିଲେ । ବସରୁ ଓଲ୍ହାଇ ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ରଂଜନାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ରାସ୍ତା ଅପରପକ୍ଷରେ ରଂଜନାଙ୍କୁ ନେବାକୁ ଆସିଥିବା ତାଙ୍କ ସ୍ବାମୀ ଓ ସ୍ଥାନୀୟ ଲୋକେ ସ୍ତବଧ ହୋଇ ଚାହିଁ ରହିଥିଲେ । ତେବେ ଦୁର୍ଘଟଣା ପରେ ସମସ୍ତେ ମିଶି ରଞ୍ଜନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
ରାତି ପାହିଲେ ଗୁରୁବାର ମାଣ ବସାଇ ଥାନ୍ତେ ରଞ୍ଜନା । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ରଞ୍ଜନା ଦିଦି ଡାକନ୍ତି ସମସ୍ତେ । ସମସ୍ତଙ୍କର ପ୍ରିୟ ଥିଲେ ସେ । ହେଲେ ପ୍ରିୟ ଲୋକଟି ଦୁନିଆରୁ ଚାଲିଗଲା ସବୁଦିନ ପାଇଁ । ….କ୍ଷଣିକରେ ଜୀବନ ଯାଉଛି ସାମାନ୍ୟ ଅସାବଧାନତା ଯୋଗୁଁ । ସେ ଗାଡ଼ିବାଲାର ହେଉ କି ରାସ୍ତାରେ ଯାଉଥିବା ମଣିଷର ଭୁଲ ହେଉ ।