ଦାଉ ସାଜିଲା ଦଇବ: ଦୁର୍ଘଟଣାରେ ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହିଞ୍ଜିଳିକାଟୁ: ସାତ ଜନ୍ମକୁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ । ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି । ଜୀବନର ଘାତ ପ୍ରତିଘାତରେ ଏକାଠି ରହିବେ ଆଉ ପ୍ରତିକୂଳ ପରିସ୍ଥିତିରେ ଉଭୟ ଉଭୟଙ୍କୁ ସହଯୋଗ କରିବେ । ହେଲେ ଦାଉ ସାଜିଲା ଦଇବ । ଛାତି ଫାଟିଗଲା ଭଳି ଦୃଶ୍ୟ ଥିଲା ସମସ୍ତଙ୍କ ପାଇଁ ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆରଏମସି ଛକ ନିକଟରେ ଗତକାଲି ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଟିରେ କବିସୂର୍ଯ୍ୟନଗର ଆଠଗଡ ପାଟଣା ଗ୍ରାମର ଭଗବାନ ସାହୁ ଓ ତାଙ୍କ ସ୍ତ୍ରୀ ସୁଲତା ସାହୁ ହିଞ୍ଜିଳିରୁ ବ୍ରହ୍ମପୁର ଯିବା ବେଳେ ପଛ ପଟୁ ଏକ ଅଜଣା ବାଲି ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେବା ସହ ସୁଲତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଯାହାଫଳରେ ସେହି ରାସ୍ତା ଉପରେ ହିଁ ଆଖିବୁଜିଥିଲେ ସୁଲତା । ଦେଖୁ ଦେଖୁ ଆଖି ସାମ୍ନାରେ ଚାଲିଯାଇଥିଲା ସ୍ଵାମୀ ଆଗରେ ସ୍ତ୍ରୀର ଜୀବନ ।

ଏଇତ ଖୁସି ହୋଇ ଉଭୟ ଘରୁ ବାହାରିଥିଲେ । କାମ ସାରି ପୁଣି ଘରକୁ ଫେରିଥାନ୍ତେ । ହେଲେ କିଏ ଜାଣିଥିଲା ଏମିତି ଅଧାବାଟରେ ଯମ ଛକି ବସିଥିବ ବୋଲି । ଦଇବର ଏ କି ଲୀଳା । ସତରେ ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ତେବେ ରାସ୍ତା ଉପରେ ମହିଳାଙ୍କ ମରଶରୀର ପଡିଥିବାର ଦେଖି ଦେଖଣହାରୀଙ୍କ ଆଖି ବି ଛଳ ଛଳ ହୋଇଯାଇଥିଲା ।

ଏପଟେ ଦୁର୍ଘଟଣା ଘଟାଇବାପରେ ଟ୍ରକ୍ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ୍ ପହଞ୍ଚ ତଦନ୍ତ ଜାରୀ ରଖିବା ସହ ଆମ୍ବୁଲାନ୍ସ ସାହାର୍ଯ୍ୟରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଏପଟେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି କରୁଛି ପୋଲିସ୍ ।

ଦୁର୍ଘଟଣା । କେତେବେଳେ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରି ଦେଉଛି ତ କାହାକୁ କରୁଛି ଅନାଥ । ଯେତେ ସଚେନତ କଲେ ସୁଦ୍ଧା ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଅଘଟଣ ଘଟୁଛି ଯେମିତି ଥମିବାର ନାହିଁ ଧରୁନି । ସାମାନ୍ୟ ଅସାବଧାନତା ଯୋଗୁଁ ଆଖି ସାମ୍ନାରେ ଚାଲିଯାଉଛି ନିରୀହ ଜୀବନ ।