ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଏନେଇ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ ଗ୍ରୀନ କ୍ରାକର ବା ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେବାକୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ନିଷ୍ପତ୍ତି ନେବେ ଏସଆରସି ।

ସୋମବାର ସୁଦ୍ଧା ହାଇକୋର୍ଟଙ୍କୁ ଅବଗତ କରାଇବେ । ସୋମବାର ଅପରାହ୍‌ଣରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ହାଇକୋର୍ଟରେ ଡେପୁଟି ଚିଫ୍‌ କଣ୍ଟ୍ରୋଲର ଅଫ ଏକ୍ସପ୍ଲୋସିଭଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଅଳ୍ପ ଶବ୍ଦ ହେଉଥିବା ବାଣ ପାଇଁ ସୁପ୍ରିମକୋର୍ଟ ଓ ଗ୍ରୀନ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ପାଥେୟ କରି ଅନୁମତି ଦିଆଯାଇ ପାରିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ।

ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିଶନରେଟ ପୋଲିସକୁ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାରେ ୭ ଜଣ ପକ୍ଷଭୁକ୍ତ ହୋଇଛନ୍ତି । ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ ରହିଛି, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ଏଥିପାଇଁ ସରକାର ସାମାଜିକ କାର୍ଯ୍ୟ ପାଇଁ କଟକଣା କୋହଳ କରିଛନ୍ତି । ଯଦି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଦ୍ୱାରା ଛୋଡ଼ବଡ଼ ବ୍ୟବସାୟୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବେ । ଏଥିପାଇଁ ସବୁଜ ବାଣ ବିକ୍ରିକୁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି । ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.