ନୂଆ ସଫେଇ ଟେଣ୍ଡରକୁ ନେଇ ବିବାଦରୁ ଉଠୁନି ଅଳିଆ, ବାହାରିବ କି ସମାଧାନର ବାଟ? ଆଜି ବସୁଛି ବିଏମସିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍): ଯୁଆଡେ ଚାହିଁବ ସିଆଡେ ଅଳିଆ। ପାହାଡ଼ ଭଳି ଠିଆ ହୋଇ ରହିଛି କୁଢକୁଢ ଅଳିଆ-ଆବର୍ଜନା। ଗୋଟିଏ ପଟେ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ବିରୋଧ। ୧୮ ଦିନ ହେଲା ଡମ୍ପିଙ୍ଗୟାର୍ଡକୁ ଅଳିଆ ଯାଇ ପାରୁନି। ସେପଟେ ନୂଆ ସଫେଇ ଟେଣ୍ଡର୍‌କୁ ନେଇ ଲାଗି ରହଛି ବିବାଦ। ଫଳରେ ଅଳିଆ ଉଠୁନି। ଆବର୍ଜନା ଗଦାରେ ଭର୍ତ୍ତି ସହରର ଛକ ଅଂଚଳ। ସ୍ଥାନ ଅଭାବରୁ ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଆଜିଠାରୁ ଅଳିଆ ପକାଇବା ସମ୍ଭବ ହେଉନାହିଁ। ବିଭିନ୍ନ ଓ୍ଵାର୍ଡରୁ ଆସୁଥିବା ଅଳିଆ ଗାଡି ରାସ୍ତା ଉପରେ ରହିଛି। ସେପଟେ ଜିଦରେ ଅଟଳ ଦାରୁଠେଙ୍ଗବାସୀ। ଅଳିଆ ଡମ୍ପିଙ୍ଗ ବନ୍ଦ କରି ପ୍ରଥମେ ବାୟୋ ମାଇନିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି କରୁଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି। ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ଅଳିଆ ଫୋପାଡ଼ି ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଏନେଇ ବିଏମ୍‌ସି ମେୟର କହିଛନ୍ତି, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସିର ସମସ୍ତ ୪୭ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଜରୁରୀ। ଏଥି ପାଇଁ ସମୟ ଲାଗିବ। ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହେଉଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ ଆଶାବାଦୀ ଅଛନ୍ତି।

ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡ ସମସ୍ୟା ପ୍ରସଙ୍ଗ ଉଭୟ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ନ୍ୟାୟାଳୟରେ ରହିଛି। ପରିବେଶ ସୁରକ୍ଷା ଓ ଲୋକଙ୍କ ଜୀବନ ରକ୍ଷା ପ୍ରତି ଧ୍ୟାନ ଦେବାକୁ ବିଏମସିକୁ ନିର୍ଦେଶ ମଧ୍ୟ ରହିଛି। ଏବେ ଆଉ କୌଣସି କଥା ଶୁଣିବାକୁ କି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଦାରୁଠେଙ୍ଗ ବାସୀ। ପୋଲିସ ବାରିକେଡ୍‌ରେ ଅଳିଆ ପଡିବାର ଥିଲା। କିନ୍ତୁ କିଛି ହୋଇପାରିଲା ନାହିଁ।

ଅନ୍ଯପଟେ  ଭୁବନେଶ୍ୱରରୁ ଅଳିଆ ଆବର୍ଜନା ପାହାଡ ଉଠିବା ନେଇ ସମାଧାନର ବାଟ ବାହାର କରିବାକୁ ଆଜି ମଧ୍ୟାହ୍ନରେ ବସୁଛି ବିଏମସିର ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସି ଆଲୋଚନା କରାଯିବ। ଦାରୁଠେଙ୍ଗ ପ଼ଞ୍ଚାୟତବାସୀ ଓ ବିଏମ୍‌ସି କର୍ତ୍ତୁପକ୍ଷଙ୍କ ମଧ୍ୟର ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.