ମଦରେ ମିଶୁଥିଲା ଅଜଣା ଗଛର ଚେର : ଏସ୍ପି

ଗଞ୍ଜାମ : ଚିକିଟି ମଦ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ତଦନ୍ତ । ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଅବକାରୀ ବିଭାଗ ଜଣକୁ ଗରିଫ କରିଛି । ଏକ ଗଛର ଚେରକୁ ଦେଶୀ ମଦରେ ପକାଇ ଅଭିଯୁକ୍ତ ମାନେ ମଦ ବିକ୍ରି କରୁଥିବା ନେଇ କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଚେର ଅଭିଯୁକ୍ତ ମାନଙ୍କ ଠାରୁ ମିଳିପାରିନାହିଁ । ତଥାପି ମଧ୍ୟ ଯେଉଁମାନେ ଏଥିରେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ସେମାନଙ୍କ ଠାରୁ ଜବତ କରାଯାଇଥିବା ଦେଶୀ ମଦର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଛି ।
ସେପଟେ ଭିସେରା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହାର ରିପୋର୍ଟ ଖୁବଶୀଘ୍ର ଆସିବ । ରିପୋର୍ଟ ଆସିବା ପରେ ଦେଶୀ ମଦରେ କଣ ଉପାଦାନ ମିଶିଥିଲା ସେ ନେଇ ସ୍ପଷ୍ଟ ହେବ । ଏହାଛଡ଼ା ଚିକିଟି, ପାତ୍ରପୁର ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ଗାଁରେ ଅଧିକ ମାତ୍ରାରେ ଚୋରା ଦେଶୀ ମଦ ବିକ୍ରି ହେବା ନେଇ ଅଭିଯୋଗ ହେଉଥିବା ଯୋଗୁଁ ନିୟମିତ ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଗତ କିଛି ଦିନ ମଧ୍ୟରେ ଚୋରା ଦେଶୀ ମଦ ବିକ୍ରି ନେଇ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ଶତାଧିକ ଲିଟର ଦେଶୀ ମଦ ଜବତ ହେବା ସହ ପୋଚକୁ ନଷ୍ଟ ମଧ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।