ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ଏକାଧିକ ପ୍ରସଙ୍ଗ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । କାଲି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । କୋଭିଡ କଟକଣାରେ ୨୬ ଦିନ ଚାଲିବ ଅଧିବେଶନ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍‌ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍‌ ସମୟ ଧାର୍ଯ୍ୟ କରାଯାଇଛି ।

ଚଳିତ ଅଧିବେଶନ ହୁଲସ୍ତୁଲ ହୋଇପାରେ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ଏକାଧିକ ପ୍ରସଙ୍ଗ । ଆଜି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ପାଇଁ ଦାବି ଉଠାଇବ ବିଜେପି । ସେହିପରି ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି, ଜିଲ୍ଲା ଖଣିଜ ଫାଉଣ୍ଡେସନ ଓ କାମ୍ପା ଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠିବ ।

ସେହିପରି କଂଗ୍ରେସ ବି ଗୃହରେ ଉଠାଇବ ମମିତା ମେହେର ହତ୍ୟା ମାମଲା । ଏହାବ୍ୟତୀତ ଧାନମଣ୍ଡି ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । … ଅନ୍ୟପଟେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି । ଏମଏସପି ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବା, ଉପାନ୍ତ ଅଞ୍ଚଳରେ ଗୃହ ନମିଳିବା, ଦରଦାମ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ସହ ସାର ଅଭାବ, କୋଇଲା ରୟାଲିଟି ବୃଦ୍ଧି ନହେବାକୁ ମୁଖ୍ୟ ମୁଦ୍ଦା କରିବ ବିଜେଡି ।…

Leave A Reply

Your email address will not be published.