ଟ୍ବିନସିଟିରେ ଘନ କୁହୁଡ଼ି, ଆହୁରି ୨ ଦିନ ଲାଗି ରହିବ ଶୀତ

ଭୁବନେଶ୍ୱର : ଟ୍ବିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନକୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି। କୁହୁଡି ଯୋଗୁ ୨୦ ମିଟର ଦୂର ଯାଏଁ କିଛି ବି ଦେଖାଯାଉନି । ଯାତାୟତରେ ବାଧାପ୍ରାପ୍ତ ହେଉଛି।

ଦୁଇ ଦିନ ପରେ ବଢ଼ିବ ତାପମାତ୍ରା, କମିବ ଶୀତ । ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨ ଦିନ ପରେ ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଥରୁଛି ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା । ଏଭଳି ଶୀତ ଆହୁରି ୨ ଦିନ ଯାଏ ଲାଗି ରହିବ । ବିଭିନ୍ନ ସ୍ଥାନରେ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୧୩ ତାରିଖ ଯାଏ ଘନ କୁହୁଡ଼ି ନେଇ ସତର୍କତା ରହିଥିବା ବେଳେ ସୁନ୍ଦରଗଡ, ଢେଙ୍କାନାଳ ,ଅନୁଗୁଳ, କନ୍ଧମାଳ ଓ କୋରାପୁଟରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା କେନ୍ଦୁଝର ,ଖୋର୍ଦ୍ଧା , କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରିକରାଯାଇଛି । ସେହିପରି ଆସନ୍ତାକାଲି କୋରାପୁଟ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ ।