ଆହୁରି ଥରାଇବ ଜାଡ଼, ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ
![Winter](https://knewsodisha.com/wp-content/uploads/2022/01/Winter-1.jpg)
ଭୁବନେଶ୍ବର: ଆହୁରି ଥରାଇବ ଜାଡ଼ । କମିବ ପାରଦ, ବଢିବ ଶୀତ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ । ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ ବୋଲି ଆକଳନ କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ ।
ଏହି ସମୟ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିପାରେ। ଏହାଦ୍ବାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ାରେ ୧୧.୬, ଫୁଲବାଣୀ ଓ ସୁନ୍ଦରଗଡ଼ରେ ୧୩, କୋରାପୁଟରେ ୧୩.୫, ସିମିଳିଗୁଡ଼ାରେ ୧୩.୯, କିରେଇରେ ୧୪, ଘୁ.ଉଦୟଗିରିରେ ୧୪.୨, ଚିପିଲିମାରେ ୧୪.୪, ଜଗତ୍ସିଂହପୁରରେ ୧୪.୫, ଅନୁଗୁଳରେ ୧୪.୬ ଡିଗ୍ରି ରହିଥିଲା ।