ମୋହନା: ଶିକ୍ଷାର ଉନ୍ନତି ତଥା ବିଦ୍ୟାର୍ଥୀଙ୍କ ଉପଯୁକ୍ତ ଶିକ୍ଷା ଅଧିକାର ପାଇଁ ସରକାର ନାନା ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାସେବା ପାଇବାରୁ ବଞ୍ଚିତ ରହୁଛନ୍ତି । ଏଭଳି ସମସ୍ୟା ଦେଇ ଗତି କରୁଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଗୁଲୁବା ପଞ୍ଚାୟତ ହାଇସ୍କୁଲ । ଏହି ହାଇସ୍କୁଲ ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ବର୍ତ୍ତମାନ ଏଠାରେ ୯ମ ଏବଂ ୧୦ମ ଶ୍ରେଣୀରେ ୧୭୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
କିନ୍ତୁ ବିଦ୍ୟାଳୟରେ ଲାଗିରହିଥିବା କିଛି ସମସ୍ୟା ଯୋଗୁଁ ଶିକ୍ଷା ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଛାତ୍ରାଵାସରେ ୧୦୦ ଜଣ ଛାତ୍ର ରହୁଛନ୍ତି । ମଙ୍ଗଳ ବିଭାଗ ପକ୍ଷରୁ ସେମାନଙ୍କୁ କେବଳ ପାଠ ପଢା ନିମନ୍ତେ ଷ୍ଟାଇପେଣ୍ଟ ଯୋଗାଇ ଦିଆଯାଉଛି । କିନ୍ତୁ ହଷ୍ଟେଲ ଗୃହ ନଥିବା ଯୋଗୁଁ ବିଦ୍ୟାଳୟର ପୁରାତନ କୋଠାକୁ ଛାତ୍ରାବାସ ଭାବେ ବ୍ୟବହାର କରୁଛନ୍ତି ସ୍କୁଲ କତୃପକ୍ଷ । ଅଳ୍ପ ବର୍ଷାରେ ହଷ୍ଟେଲ ଘର ଟିଣରୁ ପାଣି ଗଳୁଛି । ହଷ୍ଟେଲ ନିମନ୍ତେ ଶୌଚାଳୟ ଟିଏ ମଧ୍ୟ ନାହିଁ ଏବଂ ୱାଡେନ୍ ପଦବୀ ଖାଲି ପଡିଛି ।
ବିଦ୍ୟାଳୟ ମଧ୍ୟରେ ନୂତନ କୋଠା ଏବଂ ଅତ୍ୟାଧୁନିକ ବିଜ୍ଞାନ ଲ୍ୟାବ୍ ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ନହେବା ଯୋଗୁଁ କୋଠା ଏବଂ ଲ୍ୟାବ୍ କାର୍ଯ୍ୟକ୍ଷମ ହୋଇପାରୁନି । ବିନା ବିଦ୍ୟୁତରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟ ନିମନ୍ତେ ୬ ଜଣ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ cbz ଏବଂ tgt ଶିକ୍ଷକ ପଦବୀ ଖାଲିପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦ୍ୟାଳୟରେ ପାଚେରୀ ମଧ୍ୟ ନାହିଁ ଫଳରେ ଅସାମାଜିକ ବ୍ୟକ୍ତି ଏବଂ ଗାଈଗୋରୁ ବିଦ୍ୟାଳୟ ମଧ୍ୟକୁ ପଶି ଆସି ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରୁଛନ୍ତି ।
ରୋଷେଇ ଘର ନଥିବା ଯୋଗୁଁ ଜରିପାଲ ତଳେ ବୁଲାକୁକୁରଙ୍କ ଗହଣରେ ରୋଷେଇ କରାଯାଉଛି । ରୋଷେୟା ନଥିବା ଯୋଗୁଁ ଗ୍ରାମର ଜଣେ ବ୍ୟକ୍ତି ଅସ୍ଥାୟୀ ଭାବେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି । କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଏହି ଗୁଲୁବା ପଞ୍ଚାୟତ ହାଇସ୍କୁଲ । ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କତୃପକ୍ଷ ଏବଂ ପରିଚାଳନା କମିଟି ବାରମ୍ବାର ଶିକ୍ଷା ବିଭାଗ, ଜ଼ିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିକଟରେ ଅବଗତ କରାଇଛନ୍ତି କିନ୍ତୁ ସମସ୍ୟା ପ୍ରତି କେହି ମଧ୍ୟ କର୍ଣ୍ଣପାତ କରିନାହାନ୍ତି ।
ତେବେ ଏହି ସମସ୍ୟା ନେଇ ଆମେ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚିଥିଲୁ, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ତଥା ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସହ ଅତିଶୀଘ୍ର ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ଯଦି ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ଗୁଡିକର ସମାଧାନ ଅତିଶୀଘ୍ର କରାନଯାଏ ତେଵେ ଆଦିବାସୀ ଅଞ୍ଚଳରେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ନାରା କେବଳ ଲୋକ ଦେଖାଣିଆ ହୋଇରହିଯିବ । ତେଣୁ ଅତିଶୀଘ୍ର ଏହି ବିଦ୍ୟାଳୟରେ ଲାଗିରହିଥିବା ସମସ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଜରୁରୀ ।