ଶାଶୂ ଶଶୁରଙ୍କ ନାଁରେ ମହିଳାଙ୍କ ଗୁରୁତର ଅଭିଯୋଗ, କହୁଛନ୍ତି ମୋ ସ୍ବାମୀକୁ ମାରିଦେଲେ

ଯାଜପୁର : ମୁଁ ନିଚ୍ଚ ଜାତିର ବୋଲି ମୋ ଶାଶୂ ଘର ମୋତେ ପସନ୍ଦ କରିନଥିଲେ । ଶାଶୂଘର ଲୋକେ ବି ଘରେ ପୂରାଇଲେନି କି ସେଠାରେ ରହିବାକୁ ଦେଲେନି । ଏବେ ମୋ ସ୍ବାମୀର ଜୀବନ ନେଇଗଲେ । ଏଇ କୁନି ଛୁଆକୁ ଧରି କେମିତି ଜୀବନ କାଟିବି । ମୋତେ ନ୍ୟାୟ ଦରକାର। ଶାଶୂଘର ଲୋକଙ୍କ ନାଁ ରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ନିର୍ଯାତିତ ବୋହୂ ।

ଯାଜପୁର ସୁକିନ୍ଦା ଅଞ୍ଚଳର ଦେବ ରଞ୍ଜନ ସିଂ ସାମନ୍ତ ଙ୍କ ପୁଅ ଶୁଶିଲମୟ ସିଂ ସାମନ୍ତ । କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବେଶ୍ ଖୁସିରେ ଚାଲିଥିଲା ତାଙ୍କ ହସ ଖୁସିର ସଂସାର। କିନ୍ତୁ ସତେ ଯେମିତି ତାଙ୍କ ସଂସାରରେ କାହାର କଳା ନଜର ଲାଗିଗଲା । ଉଭୟଙ୍କ ଜୀବନ ଆକାଶରେ ଘୋଟି ଆସିଲା କଳାବାଦଲ । ଉଭୟ ଶୁଶିଲ ଓ ବିଜୟଲକ୍ଷ୍ମୀ ସୁକିନ୍ଦା ଅଞ୍ଚଳରେ ଦୀର୍ଘ ଦିନରୁ ଏକ ଭଡ଼ା ଘରେ ରହି ଆସୁଥିଲେ । ଏବେ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି । ଶୁଶିଲ ବାଙ୍ଗାଲୋର ଠାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ମାସ ହେବ ଘରକୁ ଆସିଥିଲେ । ତାଙ୍କ ପରିବାର ଲୋକେ ପୂର୍ବରୁ ବିଭିନ୍ନ ସମୟରେ ଶୁଶିଲଙ୍କ ଠାରୁ ଉଧାର ଆକାରରେ ଲକ୍ଷାଧିକ ଟଙ୍କା ନେଇଥିଲେ । ହେଲେ ଟଙ୍କା ଆବଶ୍ୟକ ପଡ଼ିବାରୁ ଶୁଶିଲ ତାଙ୍କ ବାପାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ମତଭେଦ । ଟଙ୍କା ନଦେଇ ବିଭିନ୍ନ ଆଳ ଦେଖାଉଥିଲେ ପରିବାର ଲୋକେ ।

ତେବେ ଗତ କିଛିଦିନ ତଳେ ଶୁଶିଲ ପୁନଶ୍ଚ ବାଙ୍ଗାଲୋର ଯିବାପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ନିଜ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ । ହେଲେ ଆଉ ଫେରି ନଥିଲେ । ପରଦିନ ଘର ନିକଟ କୂଅରୁ ତାଙ୍କ ମୃତଦେହ ମିଳିଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଶିଲ ଙ୍କ ପତ୍ନୀ ବିଜୟଲକ୍ଷ୍ମୀ । ଏଥିରେ ତାଙ୍କ ବାପା, ମା’, ୫ ଭଉଣୀ ଓ ଜଣେ ମାମୁଁ ସମ୍ପୃକ୍ତ ଥିବା ସେ ଅଭିଯୋଗରେ ଦର୍ଶାଇଥିଲେ ।

ବିଜୟଲକ୍ଷ୍ମୀ କହିଥିଲେ କି ସେ ନୀଚ ଜାତିର ହୋଇଥିବାରୁ ନାପସନ୍ଦ କରି ପୁଅ ବୋହୁଙ୍କୁ ଘରୁ ବାହାର କରିଦେଇଥିଲେ ଶୁଶିଲ ଙ୍କ ପରିବାର ଲୋକେ । ଆଉ ଏବେ ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ପୁଅକୁ ହତ୍ୟା କଲେ । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ଶୁଶିଲ ଙ୍କ ପରିବାର ଲୋକେ ଫେରାର ରହିଥିବା ଜଣାପଡିଛି । ତେବେ ଏହି ଘଟଣା ଏବେ ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବାରୁ ଏନେଇ କୈାଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like