ରୋଜଗାର ଦେଉଛି କୁକୁଡା ଚାଷ, ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ

ମୋହନା (କେନ୍ୟୁଜ) : ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ। ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ।। ରାଜ୍ଯ ସରକାରଙ୍କ ମିଶନଶକ୍ତି ସେମାନଙ୍କୁ ଗାଁ ଦାଣ୍ଡକୁ ବାହାର କରିଛି। ମିଶନଶକ୍ତିର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗର ପ୍ରତକ୍ଷ୍ୟ ତତ୍ୱାବଧାନରେ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା ଗୋଷ୍ଠୀ। ଏବେ କୁକୁଡ଼ା ଏବଂ ଅଣ୍ଡା ବିକ୍ରିକରି ରୋଜଗାର କ୍ଷମ ହେବା ସହ ପରିବାର ପ୍ରତିପୋଷଣ ମଧ୍ୟ କରିପାରୁଛନ୍ତି ମହିଳାମାନେ ।

କ୍ଷେତ ମଝିରେ କୁକୁଡ଼ା ଫାର୍ମ, ଏବଂ ଫାର୍ମ ଟିକୁ ଚଳାଉଛନ୍ତି କିଛି ମହିଳା ଏ ଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ଗଜପତି ଜ଼ିଲ୍ଲା ଅନ୍ତର୍ଗତ ଉପାନ୍ତ ମୋହନା ବ୍ଲକର ପିଣ୍ଡିକି ଗାଁ। ଗାଁର ମା ସିଦ୍ଧେଶ୍ଵରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ଯ ମାନେ ଅଣ୍ଡାଦିଆ କୁକୁଡ଼ା ଚାଷ କରି ସ୍‌ୱାବଲମ୍ବୀ ହୋଇପାରିଛନ୍ତି। ଏବଂ ଏହାକୁ ନେଇ ଏବେ ସାରା ଜ଼ିଲ୍ଲାରେ ଚର୍ଚ୍ଚା। ଏହି କୁକୁଡ଼ା ଫାର୍ମଟିକୁ ର୍ନିମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦୁଇ ଲକ୍ଷ ଟଙ୍କା ସେଥିରୁ ଏକ ଲକ୍ଷଟଙ୍କାର ସରକାରୀ ରିହାତି ମିଳିଥିବା ବେଳେ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କାର ଲୋନ୍‌ ଆଣିଛନ୍ତି ମହିଳା ଗୋଷ୍ଠୀ।

ଏଥି ନିମନ୍ତେ ରାଜ୍ଯ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଓଡିଶା ପୋଲ୍ଟି ଫେଡରେସନ୍‌ ଲିମିଟେଡ଼, ରୋଡ୍‌ ଆଇଲାଣ୍ଡ ରେଡ୍‌ ଜାତିର କୁକୁଡ଼ା ଯୋଗାଇଦେଇଛି । ଏବଂ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗ ପ୍ରତିଦିନ କୁକୁଡ଼ା ଗୁଡିକର ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକୀୟ ଔଷଧ ଏବଂ ଟୀକା ଯୋଗାଇଦଉଛି। ବର୍ତ୍ତମାନ ଫାର୍ମ ରେ ୧୫୦ ରୁ ଉର୍ଦ୍ଧ କୁକୁଡ଼ା ରହିଛନ୍ତି। ପ୍ରତ୍ୟେକ ଦିନ ୬୦ ରୁ ୭୦ ଅଣ୍ଡା ଦେଉଛନ୍ତି ଏହି କୁକୁଡା। ଅଣ୍ଡା ଗୁଡିକ ଦେଖିବା ପାଇଁ ଅବିକଳ ଦେଶୀ କୁକୁଡ଼ାର ଅଣ୍ଡା ଭଳି, ତେଣୁ ଏହାର ବଜ଼ାର ଚାହିଦା ମଧ୍ୟ ଭଲ ରହିଛି, ଗୋଟିଏ ଅଣ୍ଡା ୬ ରୁ ୭ ଟଙ୍କାରେ ବିକ୍ରି କରାଯାଉଛି, ଏହାସହ ଗଞ୍ଜା କୁକୁଡ଼କୁ ଗୋଟା ପିଛା ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି କରାଯାଉଛି।

ଦିନେ ଘର ଖର୍ଚ୍ଚ ପାଇଁ ମୁରବିଙ୍କ ହାତକୁ ଚାହିଁ ରହୁଥିବା ମହିଳା ମାନେ ଏବେ ଅଣ୍ଡା ଏବଂ କୁକୁଡ଼ା ବିକ୍ରି କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ମୁଖ୍ଯ ଭୂମିକା ତୁଲାଉଛନ୍ତି। ଆଉ ସବୁ ସମ୍ଭବ ହୋଇପାରିଛି ରାଜ୍ଯ ସରକାରଙ୍କ ମିଶନଶକ୍ତି ପାଇଁ। ତେଣୁ ସରକାର ଏବଂ ପ୍ରାଣୀ ସମ୍ପଦ ବିଭାଗକୁ ଧନ୍ଯବାଦ ଦେଇଛନ୍ତି ଏହି ମହିଳା ମାନେ। ଆଗକୁ କିଭଳି ଅଧିକରୁ ଅଧିକ ଅଞ୍ଚଳ ରେ ଏହି ଅଣ୍ଡାଦିଆ କୁକୁଡ଼ା ଚାଷ କରି ମହିଳା ମାନଙ୍କୁ ଆର୍ଥିକ ରୋଜଗାର କ୍ଷମ କରାଯାଇପାରିବ ସେଥିନିମନ୍ତେ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପଣ୍ଡା। ଆଗାମୀ ଦିନରେ ଏହାର ସଫଳ ରୂପାୟନ ହୋଇପାରିଲେ ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳା ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ।