ମାଣ୍ଡିଆ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା, ଜିଲ୍ଲାପାଳ କରୁଛନ୍ତି ଉତ୍ସାହିତ

ଜଗତସିଂହପୁର: ସଫଳ ହୋଇଛି ରାଜ୍ୟ ସରକାରଙ୍କ ଶ୍ରୀଅର୍ଣ୍ଣ ଯୋଜନା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଇଶି ମୌଜା ମଙ୍ଗୁଲି ପଞ୍ଚାୟତସ୍ଥିତ ବିଲୁଆ ଖାଇ ନଦୀ ପଠାରେ  ୭୧ ହେକ୍ଟର ଚାଷଜମିରେ ୨୪ ପ୍ରକାରର ପୁଷ୍ଟିକର ମାଣ୍ଡିଆ କରିଛନ୍ତି ୧୧୭ ଜଣ ଚାଷୀ  । ଆଉ ଏହି ଚାଷରେ ସାମିଲ ହୋଇଛନ୍ତି ମହିଳା ଚାଷୀ । ଜଗତସିଂହପୁର ଜିଲ୍ଲା କୃଷି ବିଭାଗ, ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁମାତା ଓ ୱାସନ ର ମିଳିତ ସହଯୋଗରେ ଏହି ୨୪ ପ୍ରକାର ମାଣ୍ଡିଆ ଚାଷ କରି ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମହିଳା ଚାଷୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀଅର୍ଣ୍ଣ ଯୋଜନାରେ ଚାଷୀଙ୍କୁ ପରାମର୍ଶ ଦିଆଯାଉଥିବା ବେଳେ କିପରି ଜିଲ୍ଲାରେ ଆହୁରି ଅଧିକ ଚାଷୀ ମାଣ୍ଡିଆ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ସେନେଇ ମଧ୍ୟ ଚାଷୀଙ୍କୁ ସଚେତନ କରାଯାଉଛି । ଖୋଦ ଜିଲ୍ଲାପାଳ ସୋନାଲ ମାଣ୍ଡିଆ କିଆରୀ ପରିଦର୍ଶନ କରି ଚାଷୀମାନଙ୍କୁ କରିଛନ୍ତି ଉତ୍ସାହିତ । ବ୍ଳକରେ ମଣ୍ଡି ଖୋଲା ଯିବା ସହିତ କୁଇଣ୍ଟାଲ ପିଛା ୪ ହଜାର ୫୦୦ ଟଙ୍କା ଚାଷୀମାନେ ପାଇପାରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମାଗଣାରେ ବିହନ ଓ ପ୍ରୋତ୍ସାହନ ରାଶି ହେକ୍ଟର ପିଛା ୭ ହଜାର ୬୦୦ ଟଙ୍କା ଯୋଗାଇ ଦିଆଯାଉଛି । ଯାହାଦ୍ୱାରା ଚାଷୀମାନେ ଉପକୃତ ହେବା ସହିତ ମାଣ୍ଡିଆ ଚାଷ ପାଇଁ ଆଗ୍ରହ ବୃଦ୍ଧି ପାଇଛି ।

ଦେବୀ ନଦୀର ଶାଖା ନଦୀ ବିଲୁଆ ଖାଇ ନଦୀ ପଠାରେ ଦୀର୍ଘ ବର୍ଷ ଧରି ଚାଷୀମାନେ ଧାନ, ମୁଗ, ବିରି, କୋଳଥ ଓ ପନିପରିବା ଆଦି ଚାଷ କରି ଆସୁଥିଲେ । ହେଲେ ମାଣ୍ଡିଆ ଚାଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ପରେ ଚାଷୀମାନେ ମାଣ୍ଡିଆ ଚାଷ କରିବା ପାଇଁ ମନ ବଳାଇଛନ୍ତି । ମାଣ୍ଡିଆ ସହିତ ଜଅ, ବାଜରା, ସରଗମ ଆଦି ଚାଷ ମଧ୍ୟ କରୁଛନ୍ତି ଚାଷୀ । ମାଣ୍ଡିଆ ପୁଷ୍ଟିକର ଶସ୍ୟ ହୋଇଥିବାବେଳେ ଚାହିଦା ମଧ୍ୟ ଭଲ ରହିଛି । ଯାହାକୁ ନେଇ ଚାଷୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳିଲେ ଜିଲ୍ଲାର ଅନେକ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆକୃଷ୍ଟ ହୋଇ ପାରିବେ ।

ଖାଲି  ସେତିକି ନୁହେଁ ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ଲଡୁ, ବିସ୍କୁଟ, ଚାହା, ନିମକୀ  ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରୟ କରି ଲାଭବାନ ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏଥିନେଇ ତାଙ୍କୁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବହୁତ ସହାୟତା କରୁଛି ।

ତେବେ ରାଜ୍ୟ ସରକାରଙ୍କ ଶ୍ରୀଅର୍ଣ୍ଣ ଯୋଜନା ସଫଳ ରୂପାୟନ ହୋଇ ଥିବାବେଳେ ଜିଲ୍ଲାର ଚାଷୀମାନେ ଏହା ଦ୍ୱାରା ସଫଳ ହୋଇ ପାରିବେ । ଜିଲ୍ଲାପାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ମାଣ୍ଡିଆ ଚାଷର ଉତ୍ପାଦନ କିପରି ବଢିବ ସେନେଇ ଚାଷୀ ଓ ମହିଳାମାନଙ୍କୁ ଉତ୍ସାହିତ କରିଛନ୍ତି । ଏହାଛଡା ଆଗାମୀ ଦିନରେ ସରକାର ଚାହିଁଲେ ଆହାର ଯୋଜନାରେ ମାଣ୍ଡିଆ ଖାଦ୍ୟ ଦିଆଯିବା ନେଇ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

Also Read:ଲୋପ ପାଇବାକୁ ବସିଛି କେହ୍ଲୁଆ ଶାଳ ଗୀତ, ପ୍ରୋତ୍ସାହନ ଅଭାବ ଯୋଗୁଁ ବେଉଶା ଠାରୁ ଦୂରେଇ ଗଲେଣି ଚାଷୀ