ବାଧକ ସାଜିଲା ମାଳଦା ନାଳ: ଦଉଡିରେ ଷ୍ଟ୍ରେଚର ବାନ୍ଧି ରୋଗୀଙ୍କୁ ପାରି କଲେ ଅଗ୍ନିଶମବାହିନୀ

ବାଂଶପାଳ: ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ । ହେ ପ୍ରଭୁ ସତରେ ଇଏ କି ଅବସ୍ଥା । ପାଣିର ପ୍ରଖର ସ୍ରୋତରେ ଦେଖନ୍ତୁ କେମିତି ଜୀବନକୁ ବାଜି ଲଗାଇ ଏମାନେ କଣ କରୁଛନ୍ତି । ଭାବିଲେ ଯଦି ଟିକେ ଏପଟ ସେପଟ ହେବେ ଜୀବନ ଚାଲିଯିବାଟା ନିଶ୍ଚିତ। ହେଲେ ଏଭଳି ପରିସ୍ଥିତି ପାଇଁ ଏମାନଙ୍କର କିଛି ଦୋଷ ନାହିଁ ଆଜ୍ଞା । ପରିସ୍ଥିତି ଏମାନଙ୍କୁ ବାଧ୍ୟ କରୁଛି ଏଭଳି ବିପଦପୂର୍ଣ୍ଣ ଭାବେ ପ୍ରଖର ସ୍ରୋତରେ ନାଳ ପାରି ହେବାକୁ ।
ତିନି ଦିନ ହେଲା ଅସୁସ୍ଥ ଥିଲେ ମହିଳା । ଡାକ୍ତରଖାନା ଯାଇପାରୁନଥିଲେ । କାରଣ ଗାଁ ମୁଣ୍ଡରେ ଥିବା ମାଳଦା ନାଳ ବର୍ଷା ଯୋଗୁଁ ଉଛୁଳି ପ୍ରବଳ ସ୍ରୋତରେ ବହୁଥିଲା । ହେଲେ ଗତକାଲି ନାଳରେ ପାଣି କମିବା ପରେ ଭାରରେ ବୁହା ହୋଇ ଶେଷରେ ମାଳଦା ନାଳ ପର୍ଯ୍ୟନ୍ତ ଆସିଲେ କିନ୍ତୁ ବଢୁଥିବା ନାଳର ପାଣିକୁ ପାରି ହୋଇପାରିନଥିଲେ । ଆମ୍ବୁଲାନ୍ସ କୁ ବି ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ନାଳର ଆର ପାର୍ଶ୍ଵରେ ଅଟକିଲା ଓ ନାଳର ଅନ୍ୟପଟେ ଥିଲେ ରୋଗୀ। ମଝିରେ ଉଛୁଳା ମାଳଦା ନାଳ ।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହିରେ । କାଦକଳା ପଞ୍ଚାୟତ ଠାରୁ ହଳଡ଼ିହି ସାହିକୁ ଯାଇଥିବା ରାସ୍ତା ମଝିରେ ମାଳଦା ନାଳ ପ୍ରବାହିତ ହୁଏ । ବର୍ଷା ଋତୁରେ ନାଳ ବଢିଲେ ଯାତାୟାତ ସମ୍ଭବ ହୁଏ ନାହିଁ । ହଳଡିହି ସାହିକୁ ଅଦ୍ୟାବଧି ରାସ୍ତା ସହିତ ମାଳଦା ନାଳରେ ପିଲାଟିଏ ନିର୍ମାଣ ହୋଇନାହିଁ ଫଳରେ ତିନି ଦିନ ତଳୁ ଅସୁସ୍ଥ ଥିବା ହଳଡିହି ସାହିର ମହିଳା ସିପେଇ ମୁଣ୍ଡାଙ୍କୁ ତାଙ୍କ ପରିବାର ଲୋକେ ମେଡିକାଲ ନେଇପାରୁନଥିଲେ ।
ଗତକାଲି ନାଳରେ ପାଣି ଟିକିଏ କମିବାରୁ ତାଙ୍କୁ ତାଙ୍କ ଦୁଇ ପୁଅ ବୀରବର ମୁଣ୍ଡା ଓ ତ୍ରିଲୋଚନ ମୁଣ୍ଡା ଭାରରେ ବୋହି ବୋହି ମାଳଦା ନାଳ ପର୍ଯ୍ୟନ୍ତ ଆଣିଥିଲେ । କିନ୍ତୁ ନାଳ ପାରିକରି ପାରିନଥିଲେ । ଏହାପରେ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଗୀ ସିପେଇ ମୁଣ୍ଡାଙ୍କୁ ଏକ ଦଉଡି ସାହାଯ୍ୟରେ ଗୋଟିଏ ଷ୍ଟ୍ରେଚରରେ ବାନ୍ଧି ବଢିଲା ନାଳରେ ପାରି କରିଥିଲେ । ନାଳ ପାଖରୁ ରାସ୍ତା ଖରାପ ଥିବାରୁ ପୁଣି ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା । ଏହାପରେ ଯାଇ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇପାରିଥିଲା।
ଅଣ୍ଟା ଉଚ୍ଚାର ପାଣି ସୁଅ ଛୁଟୁଥାଏ । ତାଭିତରେ ପଶି ରଶି ସାହାଯ୍ୟରେ ଚାଲିଥିଏ ମହିଳାଙ୍କୁ ନଦୀ ପାର୍ କରାଇବାକୁ ପ୍ରୟାସ । ନା ଜନ୍ତୁଜୁନ୍ତାଙ୍କ ଭୟ ନା ଭରା ପାଣିର ଭୟ, ସେ ସବୁକୁ ପଛରେ ପକାଇ କରିଥିଲେ ଜୀବନ ବଞ୍ଚାଇବାକୁ ସଂଗ୍ରାମ ।
ତେବେ ଦର୍ଶକବନ୍ଧୁ କିଛି ଦିନ ପୂର୍ବରୁ ଏହି ମାଳଦା ନାଳ ବଢୁଥିବା ବେଳେ ଛାତ୍ର ଛାତ୍ରୀ ଓ ସାହିବାସୀ କିପରି ଦଉଡି ସାହାଯ୍ୟରେ ଉଛୁଳା ମାଳଦା ନାଳକୁ ପାର କରୁଥିଲେ ତାର ଖବର ବି ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀ ମାନେ ଯାଇ ସ୍ଥିତି ପରଖିଥିଲେ ଓ ବର୍ଷା ପରେ ରାସ୍ତା ଓ ପୋଲ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ ।