ହାତରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ମହିଳା, ୮ ଦିନ ହେଲା ସୁଧୁରୁନି ଜଳ କଷ୍ଟ

ନୂଆପଡା: ନୂଆପଡା ଜିଲା ମଣ୍ଡୋସିଲ ଗାଁରେ ତାତି ବଢିବା ସହ ପାନୀୟ ଜଳର ଉତ୍କଟ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦୀର୍ଘ ୮ ଦିନ ହେଳା ମଣ୍ଡୋସିଲ ଗାଁରେ ମେଘା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ଏବେ ପାଣି ମୁନ୍ଦାଏ ପାଇଁ  ଡହଳ ବିକଳ ହେଉଛନ୍ତି । ଅପରପକ୍ଷେ ଗାଁର ମହିଳାମାନେ ଦୀର୍ଘ ଦୁଇ କି.ମି ଦୂରତାକୁ ଟାଣ ଖରାରେ ଯାଇ ସୁନ୍ଦର ନଦୀ ବାଲିରେ ଚୁଆ ଖୋଳି ଦୂଷିତ ଜଳ ସଂଗ୍ରହ କରିବାକୁ ବାଧ୍ୟ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକଠାରୁ ୫ କିମି ଦୂରତାରେ ରହିଛି ମଣ୍ଡୋସିଲ ଗାଁ । ଏହି ଗାଁର ଚତୁଃପାର୍ଶ୍ଵରେ ଲଣ୍ଡା ପାହାଡ ରହିଥିବାରୁ ଗ୍ରୀଷ୍ମ ମାସରେ ଅତ୍ୟନ୍ତ ଖରା ହୋଇଥାଏ । ଏହି ମଣ୍ଡୋସିଲ ଗାଁରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକ ବାସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ କେବଳ ୩ଟି ନଳକୂପ ରହିଛି । ଦୁଇଟି ନଳକୂପରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ବେଳେ ଗୋଟିଏ ନଳକୂପ ଅଚଳ ହୋଇପଡିଛି । ଏବେ ଗ୍ରୀଷ୍ମ ତାତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳର ସମସ୍ୟା ମଣ୍ଡୋସିଲ ଗ୍ରାମବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ଦୀର୍ଘ ୮ଦିନ ହେଲା ମଣ୍ଡୋସିଲ ଗାଁରେ ମେଘା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ପାଣି ପମ୍ପ ମୋଟର ପୋଡିଯାଇଥିବାରୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡି ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି । ଯାହା ଫଳରେ ପାନୀୟ ଜଳ ପାଇଁ ମଣ୍ଡୋସିଲ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି । ପ୍ରଶାସନ ତରଫରୁ ଅଚଳ ହୋଇପଡିଥିବା ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ଜଳ ଯୋଗାଣ ବ୍ୟବସ୍ଥା ଏ ଯାଏଁ ହୋଇ ପାରିନାହିଁ । ଯାହା ଫଳରେ, ମଣ୍ଡୋସିଲ ଗାଁର ମହିଳାମାନେ ଶହ ଶହ ସଂଖ୍ୟାରେ ଟାଣଖରାରେ ମଣ୍ଡୋସିଲ ଗାଁରୁ ୨ କି.ମି.ଦୂରତାରେ ଥିବା ସୁନ୍ଦରନଦୀକୁ ଯାଇ ନଦୀବାଲିରେ ଚୁଆ ଖୋଳି ଦୂଷିତ ଜଳକୁ ସଂଗ୍ରହ କରୁଛନ୍ତି । ପ୍ରତିଦିନ ଟାଣଖରାରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାଇ ପାନୀୟ ଜଳ ସଂଗ୍ରହ କରିବା ଦ୍ଵାରା ଅନେକ ଶିଶୁ ଓ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ମହିଳାମାନେ କହିଛନ୍ତି ।

ଖଡିଆଳ ବ୍ଲକ ମଣ୍ଡୋସିଲ ଗାଁରେ ଦିନକୁ ଦିନ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ମେଘା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ଗାଁର ପୋଖରୀଗୁଡିକ ମଧ୍ୟ ଶୁଖି ଯାଇଛି । ଯାହା ଫଳରେ  ସ୍ଥାନୀୟ ଲୋକମାନଙ୍କ ସମେତ ଗୃହପାଳିତ ପଶୁମାନେ ମଧ୍ୟ ପାଣି ପାଇଁ  ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୫ ବର୍ଷ ତଳେ ମଣ୍ଡୋସିଲ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ପ୍ରଶାସନ ତଥା ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ୧୨ ଲକ୍ଷ ଟଙ୍କା ବ୍ୟୟରେ ସୁନ୍ଦର ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା  ହୋଇଥିଲା । ହେଲେ ମେଘା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ଦୀର୍ଘ ୮ ଦିନ ହେଳା ମଣ୍ଡୋସିଲ ଗାଁରେ ପାଣିପମ୍ପ ମୋଟର ପୋଡିଯାଇଥିବାରୁ ମେଘା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ଅଚଳ ହୋଇପଡିଛି । ପାଣିପମ୍ପ ମୋଟର ପୋଡିଯାଇଥିବାରୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡି ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି । ଅଚଳ ହୋଇପଡିଥିବା ପାନିୟ ଜଳ ପ୍ରକଳ୍ପକୁ ତୁରନ୍ତ ସଚଳ କରି ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ମଣ୍ଡୋସିଲ ଗ୍ରାମବାସୀ ବାରମ୍ୱାର ଅନୁରୋଧ କରିଆସୁଛନ୍ତି । ହେଲେ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କ ପାଇଁ ଏଯାଏଁ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନାହିଁ ।

ଅପରପକ୍ଷେ ମଣ୍ଡୋସିଲ ଗାଁରେ ଅଚଳ ହୋଇପଡିଥିବା ପାନୀୟ ଜଳ ପ୍ରକଳ୍ପ ତୁରନ୍ତ ମରାମତି କରି ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ନୂଆପଡା ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ପାଣି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।  ଆଗାମୀ ଦୁଇ ଦିନ ମଧ୍ୟରେ ପାନୀୟ ଜଳ ବ୍ୟବସ୍ଥା ନହେଲେ ଖଡିଆଳ ଜନସ୍ଵାସ୍ଥ୍ୟ ବିଭାଗ ଓ ଖଡିଆଳ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।