ବୈତରଣୀ ନଦୀର ଅସ୍ଥାୟୀ ପୋଲରୁ ଖସି ହୋମ ପାଇପ ଭିତରେ ଫସିଗଲେ ମହିଳା, ଦୀର୍ଘ ଘଣ୍ଟା ପରେ ଉଦ୍ଧାର ହେଲା ଶବ

ବାଂଶପାଳ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କେନ୍ଦୁଘାଟିଠାରେ ଗତକାଲି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ହାଟରୁ ସଉଦା କରି ଫେରୁଥିବା ବେଳେ ବୈତରଣୀ ନଦୀର ଅସ୍ଥାୟୀ ପୋଲ ଉପରୁ ଖସି ପଡି ହୋମ ପାଇପ ଭିତରେ ଫସି ସୁବାସୀ ମୁଣ୍ଡା ନାମକ ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଫସି ରହିବା ପରେ ବିଳମ୍ବିତ ରାତିରେ ଗ୍ରାମବାସୀ ଓ ପୋଲିସ ମିଶି ମହିଳାଙ୍କ ଶବକୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ କେନ୍ଦୁଘାଟି ଗ୍ରାମର ବିଧବା ସୁବାସୀ ମୁଣ୍ଡା ଗତକାଲି ସନ୍ଧ୍ୟାରେ କାଶିଆ ସପ୍ତାହିକ ହାଟରୁ ସଉଦା କିଣି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଲରୁ ଖସି ପଡ଼ିଥିଲେ। ବୈତରଣୀ ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସେ ହୋମ ପାଇପ ଭିତରକୁ ଚାଲି ଯାଇଥିଲେ। ହୋମ ପାଇପ ଭିତରେ ଏକ କାଠ ଲାଗି ରହିଥିବାରୁ ସେ ଆର ପଟକୁ ବାହାରି ପାରି ନଥିଲେ। ସ୍ଥାନୀୟ ଲୋକେ ସବୁ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ ବାହାର କରିବାରେ ବିଫଳ ହୋଇଥିଲେ। ଖବର ପାଇ ବାଂଶପାଳ ଫାଣ୍ଡି ପୋଲିସ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ୬ ଘଣ୍ଟା ମହିଳା ଜଣଙ୍କ ହୋମ ପାଇପ ଭିତରେ ଫସିରହିବା ପରେ ବିଳମ୍ବିତ ରାତିରେ ପାଇପ ଭିତରୁ ଶବଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ତେବେ କେନ୍ଦୁଘାଟି ଠାରେ ବୈତରଣୀ ନଦୀ ଉପରେ ସବୁ ଦିନିଆ ପୋଲ ନିର୍ମାଣ ନକରି ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହୋମ ପାଇପ ପୋଲ ନିର୍ମାଣ କରାଯାଇଛି । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ବର୍ଷା ଦିନ ସହିତ ବର୍ଷ ସାରା ଅସୁବିଧାର ସମୁଖୀନ ହେଉଛନ୍ତି। ସୁରକ୍ଷିତ ଭାବେ ଯାତାୟାତ କରି ପାରୁନଥିବା ବେଳେ ଜରୁରୀ କାଳୀନ ସମୟରେ ମେଡିକାଲ ଯାଇପାରୁନାହାନ୍ତି । ଫଳରେ ନଦୀ ପାର ହେବାକୁ ହୁଲି ଡଙ୍ଗାକୁ ଭରସା କରୁଛନ୍ତି। ଖୁବଶୀଘ୍ର ନଦୀରେ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।