ବରଗଡ଼: ମାଆ କୁଆଡେ ଚାଲିଗଲୁ । ତତେ ତ ମୁଁ ଏଯାଏ ଟିକେ ଭଲରେ ଦେଖିନି । ମାଆ କ୍ଷୀର କେମିତି ଲାଗେ ସେହି ଅନୁଭବ ଏଯାଏ ପାଇନି । ମୁଁ ଦୁନିଆକୁ ଆସୁ ଆସୁ ତୁ ଦୁନିଆ ଛାଡିଦେଲୁ। ମାଆ କଣ ମୋର ଦୋଷ ଥିଲା । କାହିଁକି ମତେ ଏତେ ବଡ ଦୁଃଖ ଦେଲୁ । ଜନ୍ମ ହଉ ହଉ ସାରା ଜୀବନ ପାଇଁ ମତେ ମାଆ ଛେଉଣ୍ଡ କରି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲୁ….ବୋଧ ହୁଏ ଏମିତି କିଛି ଭାବୁଥିବ ନବଜାତ ଶିଶୁ ପୁତ୍ରଟି । ତା ମାଆ ଆଉ ଏ ଦୁନିଆରେ ନାହିଁ । ଘରେ ପୁଅଟିଏ ଜନ୍ମ ହେଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ହେଲେ ଇଏ କଣ । କାନ୍ଦ ବୋବାଳି ସାଙ୍ଗକୁ ହୋ ହଲ୍ଲାରେ କମ୍ପୁଛି ପରିବେଶ । ଏପଟେ ଆମ୍ବୁଲାନ୍ସ ଭିତରେ ଜଣେ ବ୍ୟକ୍ତି କାନ୍ଦ କାନ୍ଦି ବେଦମ୍ । ଘଟଣା ଏମିତି, ଯାହା ଆପଣଙ୍କୁ କନ୍ଦାଇଦବ ଆଜ୍ଞା ।
ପୁଅକୁ ଜନ୍ମ ଦେଲା ପରେ ଆଖି ବୁଜିଛି ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଟୁକୁଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଅଭିଯୋଗ ମୁତାବକ, ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ଭଟଲି ଥାନା ବରପଦର ଗାଁର ଅନିତା ସିଂ। ଗତକାଲି ରାତି ୧୨ ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନିତାଙ୍କ ଅସ୍ତ୍ରୋପଚାର କରାଯାଇ ପ୍ରସୂତି କରାଯାଇଥିଲା । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଦୁଃଖର ବିଷୟ ଛୁଆ ଜନ୍ମ କରିବାର ୫ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଭଟଲି ବ୍ଲକ ବରପଦର ଗ୍ରାମର କୈଳାଶ ସିଙ୍ଗ ବର୍ଷକ ତଳେ ଅନିତା ସିଂଙ୍କୁ ବିବାହ କରିଥିଲେ । ଅନିତା ଗର୍ଭବତୀ ହେବା ପରେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶରେ ରହିଆସୁଥିଲେ । ତେବେ ଗତକାଲି କୈଳାଶ ତାଙ୍କ ସ୍ତ୍ରୀଙ୍କ ପ୍ରସୂତି ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ସେଠାରେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯାଇ ବିଳମ୍ବିତ ରାତି ୧୨ ଟାରେ ଅପରେସନ କରାଯାଇଥିଲା ଓ ଗୋଟେ ଶିଶୁ ପୁତ୍ର ଜନ୍ମ ହୋଇଥିବା କୁହାଯାଇଥିଲା ।
ମାତ୍ର ଅପରେସନ ଥିଏଟରରୁ ଅନିତାଙ୍କୁ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ଅଣାଯାଇନଥିବା ବେଳେ ଅନୀତାଙ୍କ ପରେ ଅପରେସନ କରାଯାଇଥିବା ଅନ୍ୟ ମହିଳାଙ୍କୁ କିନ୍ତୁ ବାହାରକୁ ଅଣାଯାଇଥିଲା । ତେବେ ପରିବାର ଲୋକେ ସନ୍ଦେହ କରି ଭୟଭୀତ ହୋଇପଡିଥିଲେ । ସେଠାକାର ନର୍ସ ମାନଙ୍କୁ ପଚାରିବାରୁ ଅନିତା ଠିକ୍ ଥିବା କୁହାଯାଇଥିଲା ଓ ପରେ ଅନୀତାଙ୍କୁ ଜେନେରାଲ ବେଡ଼କୁ ଅଣାଯାଇଥିଲା ।
ହେଲେ ରାତି ୨ଟା ୧୫ମିନିଟରେ ପରିବାର ଲୋକେ ଦେଖିବାକୁ ପାଇଥିଲେ ଯେ ବ୍ୟାପକ ରକ୍ତଶ୍ରାବ ଯୋଗୁଁ ବେଡ଼ଟି ରକ୍ତରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲା । ରାତିରେ ଡାକ୍ତରଙ୍କୁ ଯାଇ ଜଣାଇବା ପରେ ମଧ୍ୟ ସକାଳ ୫ ଟା ପର୍ଯ୍ୟନ୍ତ ରକ୍ତ ଦିଆଯାଇନଥିଲା । ଯାହାଫଳରେ ରକ୍ତ ଅଭାବରୁ ଅନୀତାଙ୍କର ଭୋର ୫ଟାରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା କାରଣରୁ ଅନୀତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଅନ୍ୟପଟେ ଶିଶୁପୁତ୍ର ଏବେ ସୁସ୍ଥ ଥିବା ଜଣାପଡିଛି । ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ଆଗରେ ହୋ ହଲ୍ଲା କରିଥିଲେ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଆସି ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ।