ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ଦିନ କେଇଟା ଯାଇଥିଲେ ଘରେ କୁଆଁ କୁଆଁ ଶବ୍ଦ ଶୁଭିଥାନ୍ତା । କିନ୍ତୁ ପରିବାର ଖୁସିରେ ଯେମିତି କାହା ନଜର ଲାଗିଗଲା । ଘରକୁ ନୂଆ ଅତିଥି ଆସିବ କଣ ଘରୁ ଜଣେ ସଦସ୍ୟ ବିଦାୟ ନେଇ ଯାଇଛି । ତେବେ ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ଯାହା ପରେ ହସ୍ପିଟାଲ ପରିସରରେ ଦେଖାଯାଇଥିଲା ଉତ୍ତେଜନା । ନ୍ୟାୟ ପାଇଁ ପରିବାର ତଥା ଗାଁ ସାହି ଭାଇ ସମ୍ପର୍କୀୟ ଦୀର୍ଘ ୧୨ ଘଣ୍ଟା ମୃତଦେହ ରଖି ହସ୍ପିଟାଲରେ ଥିଲେ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଦେଖାଯାଇଥିଲା ଏଭଳି ଉତ୍ତେଜନା । ଚିକିତ୍ସାରେ ଅବହେଳା ହୋଇଥିବା ଦାୟୀ କରି ପରିବାର ଲୋକେ ଏବଂ କିଛି ସମ୍ପର୍କୀୟ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ । ଘଟଣାସ୍ଥଳରେ ଭଂଜନଗର ପୋଲିସ ପହଞ୍ଚି, ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ନିକଟସ୍ଥ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗାଁର ଟିକିନା ସାମଲ ନାମକ ଜଣେ ଗର୍ଭବତୀ ମହିଳା ଭଂଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି, ୧୨ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲରେ ମୃତଦେହ ପଡ଼ିରହିଲା ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ, ମୃତଦେହକୁ ନେଇଥିଲେ ପରିବାର ଲୋକେ । ଅନ୍ୟପଟେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏବଂ ଯଦି ଚିକିତ୍ସାରେ ଅବହେଳା ଥାଏ ତେବେ ତଦନ୍ତ କରାଯାଇ ସତ୍ୟତା ବାହାରକୁ ଅଣାଯିବ ବୋଲି କହିଛନ୍ତି ।
ପ୍ରତିଦିନ ଏମିତି ଅଘଟଣ ଘଟୁଥିବା ଖବର ଆସୁଛି । ତେବେ ତ୍ରୁଟି ରହୁଛି କେଉଁଠି ? କିଏ ଏଥିପାଇଁ ଦାୟୀ ? ସତରେ କଣ ଚିକିତ୍ସା ଅଭାବ ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଚାଲିଗଲା । ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରାଗଲେ ହିଁ ସତ ବାହାରକୁ ଆସିବ ।