ମହିଳା ଏ.ଏନ.ଏମଙ୍କୁ ମରଣାତ୍ମକ ଆକ୍ରମଣ, ଘରୁ ଘୋଷାଡ଼ି ଆଣି ନିର୍ଧୁମ ପିଟିଥିବା ଅଭିଯୋଗ

ବାଲିଗୁଡା: କାର୍ଯ୍ୟରତ ମହିଳା ଏ.ଏନ.ଏମ ଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ।  ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମଣଖୋଲ ଗାଁରୁ । ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ଆଣି ସଂଘବଦ୍ଧ ଆକ୍ରମଣ କରାଯାଇଛି ।  ଏନେଇ ଥାନାରେ ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗତ କାଲି ରାତି ୧୧ଟା ସମୟରେ ମହିଳା ଏଏନଏମ ରହୁଥିବା ଭଡା ଘରେ ୩ ଜଣ ମହିଳା ଓ ଜଣେ ପୁରୁଷ ପଶି ଚୁଟି ଧରି ଘର ବାହାରକୁ ଘୋଷାଡ଼ି ଆଣିବା ସହ ନିର୍ଧୁମ ମାଡ଼ ମାରିଥିବା ମହିଳା ଏଏନଏମ ଅଭିଯୋଗ କରିଛନ୍ତି ।  ଏଥିସହ ଆଖିକୁ ପଥରରେ ଆକ୍ରମଣ କରିବା ସହ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ଏଏନଏମଙ୍କୁ ଉଦ୍ଧାର କରାଯାଇ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ତେବେ ଏଏନଏମଙ୍କ ଶରୀରରେ ଗଭୀର ଆଘାତ ନେଇ ତାଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଏଏନଏମଙ୍କୁ ଆକ୍ରମଣ କରିଥିବା ଘଟଣାକୁ ଭିତ୍ତିହୀନ କହିବା ସହ ଆକ୍ରମଣ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଅଭିଯୋଗ କରାଯାଇଥିବା ପରିବାର । କାର୍ଯ୍ୟରତ ଏଏନଏମଙ୍କ ନାମରେ ପାଲଟା ଗୁରୁତର ଅଭିଯୋଗ ଆଣିଛନ୍ତି ସେହି ପରିବାରର ସଦସ୍ୟ ମାନେ।  କାର୍ଯ୍ୟରତ ଏଏନଏମ ଗାଁରେ ବିଭିନ୍ନ ଅନୈତିକ କାର୍ଯ୍ୟ କଳାପକୁ ପ୍ରଶୟ ଦେଉଥିବା ଅଭିଯୋଗ ଆଣିଛନ୍ତି ।

ଖମଣଖୋଲ ଗାଁର ଜ୍ୟୋତ୍ସ୍ନାରାଣୀ ସିଂ ପାତ୍ରଙ୍କ ଭାଇ ଗତକାଲି ରାତିରେ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ ।  ଜ୍ୟୋତ୍ସ୍ନାରାଣୀ ଓ ତାଙ୍କ ମା ଓ ବାପା ଖୋଜିବାକୁ ରାତିରେ ଯାଇଥିବା ସମୟରେ ଏଏନଏମଙ୍କ ଘରେ ରହୁଥିବା ଏକ ଝିଅ ସହିତ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ କଥାବର୍ତ୍ତା କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏ ନେଇ ଏଏନଏମଙ୍କୁ ପଚାରିବା ସମୟରେ ସେମାନଙ୍କୁ ଆକ୍ରମଣ କରିବା ସହ ଜ୍ୟୋତ୍ସ୍ନାରାଣୀଙ୍କ ଡ୍ରେସ ଚିରି ଦେଇଥିଲେ । ଏପରିକି ତାଙ୍କ ମାଙ୍କୁ ମଧ୍ୟ ଠେଲି ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଜ୍ୟୋତ୍ସ୍ନାରାଣୀ ସିଂ ପାତ୍ର ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ନିୟୋଜିତ ଏଏନଏମ ଝିଅ ମାନଙ୍କୁ ପୁଅ ମାନଙ୍କ ସହ ଫସେଇବା ଭଳି କାର୍ଯ୍ୟ କରୁଥିବା ସହ ଗାଁର ପୁଅ ଝିଅଙ୍କ ଭବିଷ୍ୟତ ନଷ୍ଟ କରୁଥିବା ଜ୍ୟୋତ୍ସ୍ନାରାଣୀ ସିଂ ପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like