ଯାଜପୁର ଯୋକଡିଆ ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଛାତ୍ରୀ। ଡେଇଁବାର କାରଣ ସ୍ପଷ୍ଟ ହୋଇନାହିଁ । ବ୍ରିଜ୍ ଉପରୁ ଛାତ୍ରୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ସେପଟେ ନଦୀ ଭିତରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆଜି ସକାଳେ ଛାତ୍ରୀ ଜଣକ ଘରୁ ସାଇକେଲ ନେଇ ଯୋକଡ଼ିଆ ବଜାରକୁ ଆସିଥିଲେ। ପ୍ରଥମେ ସେ ବ୍ରିଜ୍ ନିକଟରେ ଥିବା ଏକ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ଏହାପରେ ବ୍ରିଜ ଉପରେ ନିଜ ସାଇକେଲ ଓ ଚପଲ ରଖି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ। ଛାତ୍ରୀ ଜଣକ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର ବିଜୟ ପାଇକରାଙ୍କ ଝିଅ ତିଳୋତ୍ତମା ବୋଲି ଜଣାପଡିଛି। ତିଳୋତ୍ତମା ମାମୁଁ ଘର ହେଉଛି ଛୋଟରାୟପୁର । ସେ ସେଠାରେ ରହି ପାଠ ପଢ଼ୁଥିଲେ ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମଧ୍ୟ ସେ ପାସ କରିଥିଲେ।

ତେବେ ଆଜି ସକାଳୁ ଛାତ୍ରୀ ଜଣକ କାହିଁକି ଏଭଳି ପଦକ୍ଷେପ ନେଲେ ସେ ନେଇ ପ୍ରକୃତ କାରଣ ଜଣାପଡି ନାହିଁ। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ। ଏପଟେ ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.